ଲଖିମପୁର ହିଂସାକାଣ୍ଡ ମାମଲା : କ୍ରାଇମବାଂଚ କାର୍ଯ୍ୟାଳୟରେ ତିନି ଘଂଟା ହେବ ଆଶିଷ ମିଶ୍ରାଙ୍କୁ ଚାଲିଛି ଜେରା

85

କନକ ବ୍ୟୁରୋ : ଲଖିମପୁର ହିଂସାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଚାଲିଛି ମାରାଥନ ଜେରା । ଲଖିମପୁର କ୍ରାଇମବାଂଚ କାର୍ଯ୍ୟାଳୟରେ ତିନି ଘଂଟାରୁ ଅଧିକ ସମୟ ହେବ ଆଶିଷଙ୍କୁ ଜେରା କରାଯାଉଛି । ଆଜି ଦିନ ୧୧ଟା ସୁଦ୍ଧା ତାଙ୍କୁ କ୍ରାଇମ୍ବ୍ରାଂଚ କାର୍ଯ୍ୟାଳୟରେ ହାଜର ପାଇଁ ନୋଟିସ୍ ଜାରି କରାଯାଇଥିଲା । କିନ୍ତୁ ଡେଡଲାଇନର ୨୨ ମିନିଟ୍ ପୂର୍ବରୁ ଅର୍ଥାତ୍ ୧୦ଟା ୩୮ରେ ଆଶିଷ କ୍ରାଇମବ୍ରାଂଚରେ ହାଜର ହୋଇଥିଲେ । ଆଶିଷ ମିଶ୍ରାଙ୍କ ସହ ତାଙ୍କ ଓକିଲ ଏବଂ ପ୍ରତିନିଧି ମଧ୍ୟ କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି । ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ହାଜର ହେବାକୁ ନେଇ ଲଖିମପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କ୍ରାଇମବ୍ରାଂଚ କାର୍ଯ୍ୟାଳୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ସ୍ପେଶାଲ ଇନଭେଷ୍ଟିଗେସନ ଟିମ ସଦସ୍ୟ ଉପସ୍ଥିତ ଅଛନ୍ତି । ଲଖିମପୁରରେ ହୋଇଥିବା ହିଂସାକାଣ୍ଡ ମାମଲାରେ କ୍ରାଇମବ୍ରାଂଚ ତାଙ୍କୁ ପଚରାଉଚରା କରୁଛି । ରବିବାର ହୋଇଥିବା ଏହି ହିଂସାକାଣ୍ଡରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା ।
ସେପଟେ କ୍ରାଇମବ୍ରାଂଚ ନିକଟରେ ଆଶିଷ ମିଶ୍ରା ହାଜର ହେବା ପରେ ଆମରଣ ଅନଶନ ଶେଷ କରିଛନ୍ତି ପଂଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ । ଶୁକ୍ରବାର ଲଖମୀପୁର ଖେରୀରେ ପହଁଚିଥିଲେ ସିଦ୍ଧୁ । ଘଟଣାରେ ମୃତ୍ୟୁବରଣ କରିଥିବା ଓ ଆହତ ହୋଇଥିବା ଚାଷୀଙ୍କ ପରିବାରକୁ ଭେଟିଥିଲେ । ପରେ ଏକାଜିଦରେ ମୌନବ୍ରତ କରିବା ସହ ଆମରଣ ଅନଶନରେ ସେ ବସିଥିଲେ ।ସିଦ୍ଧୁ କହିଥିଲେ ଯେଉଁ ପର୍ଯ୍ୟନ୍ତ ଆଶିଷ ମିଶ୍ରା ଜେରା ପାଇଁ କ୍ରାଇମବ୍ରାଂଚ ସମ୍ମୁଖରେ ହାଜର ହେବେନି ସେପର୍ଯ୍ୟନ୍ତ ସେ ଅନଶନ ଜାରି ରଖିବେ ।