ବ୍ଲଡ୍ କ୍ୟାନସର ସହ ଲଢୁଛି ଆଶିଷ । ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା । ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର ।

324

କନକ ବ୍ୟୁରୋ: ରୋଗୀଣା ପୁଅକୁ କାନିରେ ପୋଛି ଦେଉଛି ମାଆ । ନିଜ ସନ୍ତାନକୁ ସାଉଁଳି ପକାଉଛି, ତା ରୋଗକୁ ଭଲ କରିଦେବାକୁ ଠାକୁରଙ୍କୁ ଡାକୁଛି । କାହିଁକି ନା, ଯେଉଁ ପୁଅକୁ ଦିନେ ସେ ଗର୍ଭରେ ରଖି ଜନ୍ମ ଦେଇଥିଲା, ସେ ପୁଅକୁ ଏବେ ହେଇଛି ବ୍ଲଡ୍ କ୍ୟାନସର । କେତେ ଅବା ବୟସ ହେବ? ଯେଉଁ ବୟସରେ ଖେଳି କୁଦି ସମୟ କାଟିବା କଥା, ସ୍କୁଲ ଯାଇ ଦି ଅକ୍ଷର ପାଠ ପଢିବା କଥା । ସେ ବୟସରେ କ୍ୟାନସର ଭଳି ରୋଗରେ ପଡି, ଯନ୍ତ୍ରଣାରେ ଭୋଗୁଛି ଏ କୁନି ପୁଅ ଆଶିଷ ଜେନା ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ବାଛଳ ଗାଁରେ ରହନ୍ତି ଆଶିଷ ଜେନା । ବୟସ କହିଲେ ମାତ୍ର ୧୫ ବର୍ଷ । ଗାଁ ସ୍କୁଲରେ ନବମ ଶ୍ରେଣୀ ପାଠ ପଢୁଥିବା ଆଶିଷ ପାଠରେ ଭଲ ଥିଲା, ସ୍କଲରେ ଭଲ ମାର୍କ ବି ରଖୁଥିଲା । ହେଲେ ଯେବେଠୁ ତାକୁ ବ୍ଲଡ୍ କ୍ୟାନସର ହେଇଥିବା ସେ ଜାଣିଛି, ,ସେବେଠୁ ତା ଭବିଷ୍ୟତ ନୀଳ ଆକାଶରେ ଘୋଟିଆସିଛି କଳା ଅନ୍ଧାର । ଆଶିଷର ଟ୍ରିଟମେଣ୍ଟ ପାଇଁ ଏବେ ଲକ୍ଷାଧିକ ଟଙ୍କା ଦରକାର ଥିଲାବେଳେ, ଅଭାବୀ ପରିବାର ପାଇଁ ଏ ବଡ ଚିକିତ୍ସା କରିବା ବଡ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

ଆଶିଷଙ୍କ ବାପା ଜଣେ ସାଧାରଣ ଦିନ ମଜୁରିଆ । ପର ପାଖରେ କାମ କଲେ, ଯାହା ଯେତିକି ମଜୁରୀ ମିଳେ, ସେଇଥିରେ ତାଙ୍କ ଘର ଚଳେ । ତେଣୁ ଶାଗ ଲୁଣର ସଂସାର ଭିତରେ ଏବେ ପୁଅର ଟ୍ରିଟମେଣ୍ଟ କେମିତି ହେବ ତାକୁ ନେଇ ଚିନ୍ତାରେ ପୂରା ପରିବାର ।

କଟକ ବଡ ମେଡିକାଲରେ ଏବେ ଆଶିଷର ଟ୍ରିଟମେଣ୍ଟ ଚାଲିଛି । ସପ୍ତାହକୁ ଥରେ ଏବେ ସେ କେମୋ ନେଉଥିବାବେଳେ । ଆଗକୁ ଚିକିତ୍ସା ପାଇଁ କଟକରେ ଘର ନେଇ ରହିବାକୁ କହୁଛନ୍ତି ଡାକ୍ତର । ହେଲେ ଏତେ ସବୁ ଅଭାବ ଅସୁବିଧା ଭିତରେ କଟକରେ ଘର ଭଡା ନେଇ ରହିବା ବି ବଡ ମୁସ୍କିଲ ହୋଇଛି । ତେଣୁ ଶେଷକୁ ସରକାରୀ ସାହାଯ୍ୟ ଲୋଡିଛନ୍ତି ପରିବାର ଲୋକ ।

ସରକାର ଅନେକ ଲୋକଙ୍କୁ ସାହାଯ୍ୟ ସହଯୋଗ ଦେଉଛନ୍ତି । ଅନେକ ଲୋକ ବି ସରକାରୀ ସାହାଯ୍ୟ ପାଉଛନ୍ତି । ତେବେ କ୍ୟାନସରେ ପଡିଥିବା ଏ କୁନି ପୁଅଟି ଯଦି, ସରକାରୀ ସାହାଯ୍ୟ ପାଇପାରନ୍ତା , ତେବେ ତା ଭବିଷ୍ୟତ ବି ଉଜ୍ଜଳ ହେଇପାରନ୍ତା । ତେବେ ଆପଣ ବି ଆଶିଷର ଚିକିତ୍ସା ପାଇଁ ନିଜର ଛୋଟିଆ ସାହାଯ୍ୟ କରିପାରିବେ । ଲେଖି ରଖନ୍ତୁ ଆଶିଷର ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ।

  • ନାମ – ଆଶିଷ ଜେନା
  • ପିତା – ଅଜୟ କୁମାର ଜେନା
  • ଆକାଉଣ୍ଟ ନମ୍ବର – ୪୫୨୩୦୨୦୧୦୦୮୮୯୯୦
  • IFSC Code – UBIN0545236