କନକ ବ୍ୟୁରୋ: ଅଣନିଶ୍ବାସୀ କରୁଛି ପାଉଁଶ ଗଦା । ବଲାଙ୍ଗୀର ଜାତୀୟ ରାଜପଥ କଡ଼ରେ ପଡୁଛି ଶିଳ୍ପାଞ୍ଚଳର ପାଉଁଶ। ଦିନ ରାତି ପାଉଁଶ ଉଡୁଥିବାରୁ ରାସ୍ତାରେ ଗାଡ଼ି ଚଳାଇବା ମୁସ୍କିଲ ହୋଇପଡ଼ିଛି । ଜାତୀୟ ରାଜପଥରେ ଭାରି ଯାନ ଚାଲୁଥିବା ବେଳେ ଏହା ରାସ୍ତାରେ ଯାଉଥିବା ଯାତ୍ରୀଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି । ସ୍କୁଲ, କଲେଜ, ହସ୍ପିଟାଲ ଓ ଅଫିସ ଯାଉଥିବା ବ୍ୟକ୍ତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଲାଙ୍ଗିରରେ ଦୀର୍ଘ ଦିନ ଧର ବାଇପାସ ପାଇଁ ଦାବି ହୋଇଆସୁଥିଲା । ଏଥିପାଇଁ ଗତବର୍ଷରୁ କାମ ଆରମ୍ଭ ହୋଇଥିବା ବେଳେ ବାଲି ସ୍ଥାନରେ ବିଭିନ୍ନ ଶିଳ୍ପ ସଂସ୍ଥାର ବର୍ଜ୍ୟ ପାଉଁଶକୁ ବ୍ୟବହାର କରୁଛି ଠିକାସଂସ୍ଥା । ଯାହା ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି । ରାସ୍ତା ପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । କିନ୍ତୁ ବାଲି ସ୍ଥାନରେ ଠିକାସଂସ୍ଥା ପାଉଁଶ ବ୍ୟବହାର କରୁଥିବାରୁ ଅସନ୍ତୋଷ ବଢ଼ିଛି । ଏନେଇ ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହୋଇଛି ।