କନକ ବ୍ୟୁରୋ : ଆଶା କର୍ମୀରୁ ପୌର ଉପାଧ୍ୟକ୍ଷା । ନିଜର ସେବା ମନୋବୃତି ଓ କାର୍ଯ୍ୟଦକ୍ଷତା ବଦଳାଇ ଦେଇଛି ପରିଚୟ । ଦୀର୍ଘ ୧୫ ବର୍ଷ ଧରି ନିଜର ୱାର୍ଡରେ ନିରନ୍ତର ସେବା ପ୍ରଦାନ କରିବା ସହିତ ଓାର୍ଡର ଘର ଘର ବୁଲି ଦିନ ରାତି ସେବା ଯୋଗାଇଥିବା ଆଶାକର୍ମୀଙ୍କୁ ୱାର୍ଡବାସିନ୍ଦା କାଉନସିଲର ଭାବରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିଥିଲେ । ପରେ ପାରାଦୀପ ପୌରଉପାଧ୍ୟକ୍ଷା ନିର୍ବାଚନରେ ବିଜୟୀ ହେବା ପରେ ପାରାଦୀପର ନୂତନ ପୌରାଧ୍ୟକ୍ଷା ଭାବରେ ନିଜର ନୂଆ ପରିଚୟ ସୃଷ୍ଟି କରିଛନ୍ତି ପାରାଦୀପ ୨ ନମ୍ବର ୱାର୍ଡର ବିଜୟୀ କାଉନସିଲର ଛବିଲତା ରାଉତ ।
ଆଶା କର୍ମୀରୁ ପୌର ଉପାଧ୍ୟକ୍ଷା । ଛବିଲତାଙ୍କ ସଂଘର୍ଷମୟ କାହାଣୀ । ସରିଯାଇଛି ପୌର ନିର୍ବାଚନ । ୧୯ଟି ଓାର୍ଡକୁ ନେଇ ଗଠିତ ପାରାଦୀପ ପୌରପରିଷଦର ଉପାଧ୍ୟକ୍ଷ ହୋଇଛନ୍ତି ଆଶା କର୍ମୀ ଛବିଲତା ରାଉତ । ଦୀର୍ଘ ୧୫ ବର୍ଷ ଧରି ଆଶାକର୍ମୀ ଭାବେ ଛବିଲତାଙ୍କ ନିସ୍ୱାର୍ଥପର ସେବା ମନୋବୃତି ତାଙ୍କୁ ଆଜି ଏହି ସ୍ଥାନକୁ ଆଣିପାରିଛି । ଡେଲିଭରୀ ଠୁ ଆରମ୍ଭ କରି କରୋନା ଟିକା ପ୍ରଦାନ କରିବା ପର୍ଯ୍ୟନ୍ତ ଛବିରାଣି ନିରବଚ୍ଛିନ୍ନ ଭାବେ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ ।
ଚଳିତ ପାରାଦୀପ ପୌର ପରିଷଦର ଦୁଇ ନମ୍ବର ଓାର୍ଡରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ । କର୍ପୋରେଟର ଜିତିବା ପରେ ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ବିଜେପି, ବିଜେଡି ଓ ସ୍ୱାଧୀନ ପ୍ରାର୍ଥୀଙ୍କ କଡା ଟକ୍କର ହୋଇଥିଲା । କିନ୍ତୁ ରାଜନୀତିର ପଶାପାଲିରେ ବିଜେଡି ପ୍ରାର୍ଥୀଙ୍କୁ ହରାଇ ଛବିରାଣି ଉପାଧ୍ୟକ୍ଷ ହୋଇଥିଲେ ।
ପାରାଦୀର ପୌରାଧ୍ୟକ୍ଷ ଭାବେ ବିଜେଡିର ବସନ୍ତ କୁମାର ବିଶ୍ୱାଳ ପୌରାଧ୍ୟକ୍ଷ ଭାବରେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । କିନ୍ତୁ ୧୯ଟି ୱାର୍ଡରୁ ବିଜେଡି ୭ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ବିଜୟୀ ହୋଇଥିଲେ ଆମ ପାରାଦୀପ ଆମ ପ୍ରଗତି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ । ସେହିପରି ବିଜେପି ୩ଟି ଏବଂ କଂଗ୍ରେସ ଗୋଟିଏ ୱାର୍ଡରେ ବିଜୟୀ ହୋଇଥିଲା । ପୌରାଧ୍ୟକ୍ଷା ନିର୍ବାଚନରେ ବିଜେଡିର କ୍ରସ ଭୋଟିଂ ଯୋଗୁ ଛବିଲତା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ନିଜର ନିସ୍ୱାର୍ଥପର ସେବା ମନୋଭାବ ଆଜି ଛବିଲତାଙ୍କୁ ଦେଇଛି ଭିନ୍ନ ପରିଚୟ ।