ଗର୍ଭବତୀଙ୍କ ‘ଆଶା’ ଭରସା: ଉଛୁଳା ନଦୀ ଦେଖି ମଉଳି ଯାଉଥିଲା ଆଶା, ଦେବଦୂତ ସାଜି ସାହା ହେଲେ ପୁଷ୍ପଲତା

540

କନକ ବ୍ୟୁରୋ: ପ୍ରସବ ଯନ୍ତ୍ରଣାରେ ଛାଟିପିଟି ହେଉଥିଲେ ପ୍ରସୂତି । ସମୟ ଯେତିକି ଗଡୁଥିଲା, ଗର୍ଭ ଯନ୍ତ୍ରଣା ସେତିକି ବଢୁଥିଲା । ଆଉ ଯନ୍ତ୍ରଣାକୁ ଚାପି ଘର କୋଣରେ ବସିଥିଲା ଯନନୀ । କାରଣ ଭରା ନଦୀ ପାର ହୋଇ ହସ୍ପିଟାଲ ଯିବାକୁ ତାର ସାହସ ନଥିଲା । ହେଲେ ଏତିକି ବେଳେ ସାମ୍ନାକୁ ଆସିଥିଲେ ସାହସୀ ଆଶା । ମହିଳାଙ୍କ ଯନ୍ତ୍ରଣା ସହି ନପାରି ଉଛୁଳା ନଦୀ ମଝିକୁ ନିଜେ ପଶିଥିଲେ ଆଉ ପ୍ରଖର ସ୍ରୋତକୁ କାଟି କାଟି ଗର୍ଭବତୀ ମହିଳାଙ୍କୁ ଭରା ନଦୀ ପାର କରିଥିଲେ ।

ତେବେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସାପଲାଞ୍ଜି ଗାଁର ଗର୍ଭବତୀ ମହିଳା ଚନ୍ଦ୍ରୀ ମୁଣ୍ଡା ଆଜି ଭୋରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଆଉ ଏକଥା ଶୁଣି ତାଙ୍କୁ ମେଡିକାଲ ନେବାକୁ ପହଞ୍ଚିଥିଲେ ଆଶା ଦିଦି ପୁଷ୍ପଲତା ପାତ୍ର । ମାତ୍ର ନଦୀରେ ପାଣି ବଢି ଯାଇଥିବାରୁ ଆଉ ବର୍ଷା ପବନରେ ଗତରାତିରେ ହୁଲି ଡଙ୍ଗା ଭାସି ଯାଇଥିବାରୁ ନଦୀ ପାର ହେବା ଅସମ୍ଭବ ହୋଇ ପଡିଥିଲା ।

ହେଲେ ଗର୍ଭବତୀଙ୍କ ଯନ୍ତ୍ରଣା ଆଗରେ ନିଜ ଜୀବନକୁ ବାଜି ଲଗାଇ ସାହସିକତା ଦେଖାଇଥିଲେ ଆଶା ଦିଦି । ଆଉ ମହିଳାଙ୍କୁ ଭରା ନଦୀରୁ ପାର କରି ହସ୍ପିଟାଲ ନେଇଥିଲେ । ତେବେ ଭରା ନଦୀରେ ଭରସା ସାଜିଥିବା ଆଶା ଦିଦି ପୁଷ୍ପଲତାଙ୍କ ଏଭଳି ସାହସିକତା ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି ।