କେମିତି ଚାଲିଛି ପାଠପଢା, ଆସିଲା ଆସର ୨୦୨୦ ରିପୋର୍ଟ? ଦେଶରେ ସରକାରୀ ସ୍କୁଲ ପ୍ରତି ବଢିଛି ଆଗ୍ରହ, ଓଡିଶାରେ ଦେଖିବାକୁ ମିଳିଛି ଭିନ୍ନ ଧାରା; ସେପଟେ ମୋବାଇଲ ବ୍ୟବହାରରେ ବି ପଛରେ ପଡିଛି ରାଜ୍ୟ

285

କନକ ବ୍ୟୁରୋ: କୋଭିଡ ମହାମାରୀ ସମୟରେ ଦେଶରେ ତଥା ଆମ ରାଜ୍ୟରେ ଏଲିମେଂଟାରୀ ଶିକ୍ଷାର ସ୍ଥିତି କିପରି ରହିଛି, ଏହାର ବିବରଣୀ ପ୍ରକାଶ କରିଛି ଅସର-୨୦୨୦ । ଗତ ଦୁଇ ବର୍ଷରେ ଦେଶରେ ସରକାରୀ ସ୍କୁଲଗୁଡିକରେ ପଂଜିକୃତ ହୋଇଥିବା ପିଲାଙ୍କ ଅନୁପାତ ବଢ଼ିଛି । ତେବେ ଓଡ଼ିଶାରେ ଏହାର ଧାରା ଅଲଗା ରହିଛି । ସମସ୍ତ ଶ୍ରେଣୀରେ ଉଭୟ ପୁଅ ଓ ଝିଅଙ୍କ ପଂଜିକରଣ ଅନୁପାତ ସରକାରୀ ବିଦ୍ୟାଳୟରେ କମିଛି ଏବଂ ସମାନ ସମୟରେ ବେସରକାରୀ ବିଦ୍ୟାଳୟରେ ପିଲାଙ୍କ ପଂଜିକରଣ ବୃଦ୍ଧି ପାଇଛି । ଓଡ଼ିଶାରେ ସରକାରୀ ବିଦ୍ୟାଳୟରେ ପଂଜିକୃତ ଥିବା ପୁଅଙ୍କ ଅନୁପାତ ୨୦୧୮ ମସିହାରେ ୮୬.୨ ପ୍ରତିଶତ ଥିଲା । ଏହା ୨୦୨୦ରେ ୮୦.୭ ପ୍ରତିଶତ ହୋଇଛି । ସେହିପରି ସରକାରୀ ସ୍କୁଲରେ ଝିଅଙ୍କ ପଂଜିକରଣ ଅନୁପାତ ୮୯.୭ ପ୍ରତିଶତରୁ ୮୬.୭ ପ୍ରତିଶତକୁ କମି ଆସିଛି ।

ସେହିପରି ସ୍କୁଲ ବନ୍ଦ ଥିବାରୁ ଘରେ ଥିବା ସଂସାଧନ ଉପରେ ପିଲାମାନେ ଅଧିକ ନିର୍ଭରଶୀଳ ରହିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ପାଠପଢ଼ାରେ ସ୍ମାର୍ଟ ଫୋନ ବ୍ୟବହାର ୩୬.୫ ପ୍ରତିଶତରୁ ୬୧.୮ ପ୍ରତିଶତକୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ ତ୍ରିପୁରା ଆଦି ରାଜ୍ୟରେ ସ୍ମାର୍ଟ ଫୋନ ବ୍ୟବହାର ୩୦ ପ୍ରତିଶତ ବଢ଼ିଛି । ତେବେ ଏହି କ୍ଷେତ୍ରରେ କିଛିଟା ପଛରେ ପଡିଛି ଓଡ଼ିଶା । ଓଡ଼ିଶାରେ ନାମାଙ୍କିତ ପିଲାଙ୍କ ଘରେ ସ୍କାର୍ଟଫୋନ ଥିବା ଅନୁପାତ ୨୦୧୮ରେ ୨୬.୧ ପ୍ରତିଶତ ଥିଲା । ୨୦୨୦ରେ ଏହା ବଢ଼ି ୪୯.୩ ପ୍ରତିଶତରେ ପହଁଚିଛି । ଅର୍ଥାତ ଓଡ଼ିଶାରେ ଅଧା ପିଲାଙ୍କ ପରିବାରରେ ସ୍ମାର୍ଟ ଫୋନ ଉପଲବ୍ଧ ନାହିଁ । ତେବେ ଓଡ଼ିଶାରେ ଅଧିକ ପିଲାଙ୍କ ପାଖରେ ପାଠ ବହି ପହଁଚିଛି । ଦେଶରେ ୮୦ ପ୍ରତିଶତରୁ ଅଧିକ ପିଲାଙ୍କ ପାଖରେ ପାଠବହି ରହିଛି । ଓଡ଼ିଶାରେ ଏହି ଅନୁପାତ ୮୮.୬ ପ୍ରତିଶତ ରହିଛି । ଓଡ଼ିଶାରେ ଅଧିକ ପିଲା ପାଠପଢ଼ାରେ ଘରୋଇ ସାହାଯ୍ୟ ଅଧିକ ପାଉଛନ୍ତି ।

ଦେଶରେ ସ୍କୁଲ ବନ୍ଦ ହେବାର ୬ ମାସ ପରେ ଅର୍ଥାତ ସେପ୍ଟେମ୍ବର ମାସରେ ଏହି ସର୍ଭେ ହୋଇଛି । ଭାରତରେ ଡିଷ୍ଟାନ୍ସ ଏଜୁକେସନ୍ ପ୍ରକ୍ରିୟା, ପାଠ ସାମଗ୍ରୀ, ବିଭିନ୍ନ ଆକ୍ଟିଭିଟି ସଂପର୍କରେ ଜାଣିବାକୁ ଉଦ୍ୟମ କରାଯାଇଛି । ବିଭିନ୍ନ ପିଲା ଓ ସେମାନଙ୍କ ପରିବାରରେ ଫୋନ ଯୋଗେ ଶିକ୍ଷା ଓ ଦୂର ଶିକ୍ଷାର ସହଭାଗିତା କିପରି ରହିଛି, ସେ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ପୂର୍ବରୁ ପ୍ରତିବର୍ଷ ଏହି ସର୍ଭେ କରାଯାଉଥିବା ବେଳେ ୨୦୧୬ରୁ ପ୍ରତି ଦୁଇ ବର୍ଷରେ ଏହି ବିବରଣୀ ଦେଉଛି ଅସର । ୨୪ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଂଚଳରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି । ସାରା ଦେଶରୁ ୫୨ ହଜାର ୨୨୭ ଘର, ୫୫ ହଜାର ୨୫୧ ଜଣ ପିଲା ଓ ୮ ହଜାର ୯୬୩ ଜଣ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ମତାମତ ନିଆଯାଇଛି । ଓଡ଼ିଶାରେ ୨ ହଜାର ୩୭୮ ଘର ଓ ୨ ହଜାର ୬୬୧ ପିଲାଙ୍କୁ ନେଇ ସର୍ଭେ କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟି ରଖି ପ୍ରଥମ ଥର ପାଇଁ ଅସର-୨୦୨୦ ସର୍ଭେ ଫୋନ ଯୋଗେ କରାଯାଇଛି ।