କନକ ବ୍ୟୁରୋ : ଭୁବନେଶ୍ୱର ଭିଏସଏସ ନଗର ବାଣ ଫୁଟିବା ଘଟଣା । ଏଥିରେ ଆହତ ହୋଇଥିବା ଶିବାନନ୍ଦ ତାଡନଙ୍କ ମୃତ୍ୟୁ ହୋଇଛି । ସୋମବାର ସନ୍ଧ୍ୟାରେ ବାଣ ଭିଡିବା ସମୟରେ ବାଣ ଫୁଟିଯାଇଥିଲା । ବିସ୍ଫୋରଣରେ ଘର ଆଜବେଷ୍ଟସ ଭାଙ୍ଗି ଯାଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସହିଦ ନଗର ପୁଲିସ ବିସ୍ଫୋରଣ ସ୍ଥାନରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Advertisment

ପୂର୍ବରୁ ବାଲିପାଟଣା ଓ ଖୋର୍ଦ୍ଧା ଭୂଷଣ୍ଡପୁର ଅଞ୍ଚଳରେ ବାଣ ବିସ୍ଫୋରଣ ଘଟିବାରୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଏଥର ରାଜଧାନୀ ଛାତି ଉପରେ ସହିଦନଗର ଥାନା ଅଞ୍ଚଳରେ ଏମିତି ଘଟିଛି । ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ହଠାତ୍ ଏକ ଭୟଙ୍କର ଶବ୍ଦରେ ଥରିଉଠିଥିଲା ଜିଏଲ୍‌ କଲୋନି । ପ୍ରଥମେ ଏହା ଏକ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ବୋଲି ଲୋକେ ମନେ କରିଥିଲେ । କିନ୍ତୁ ବିସ୍ଫୋରଣର ତୀବ୍ରତାରୁ ଏହା କୌଣସି ବଡ଼ଧରଣର ଅଘଟଣ ବୋଲି ଭାବି ଲୋକେ ଭୟରେ ଘର ଭିତରେ କବାଟ ତାଟି ଦେଇ ପଶିଯାଇଥିଲେ । ରାସ୍ତାରେ ଯା’ଆସ କରୁଥିବା ଲୋକେ ପ୍ରାଣ ବିକଳରେ ଘରକୁ ଧାଇଁଥିଲେ । କିଛି କ୍ଷଣ ପାଇଁ ସମଗ୍ର ଅଞ୍ଚଳ ଶୂନ୍‌ଶାନ୍‌ ହୋଇଯାଇଥିଲା । ତେବେ ପରେ ଜଣାପଡ଼ିଥିଲା ଯେ ଶିବାନନ୍ଦର ଘରେ ଏହି ବିସ୍ଫୋରଣ ଘଟିଛି । ଶିବାନନ୍ଦର ପଡ଼ୋଶୀମାନଙ୍କ ଘର ଏତେ ଜୋର୍‌ରେ ଥରିଉଠିଥିଲା ଯେ ଘର ଭିତରେ ଆସବାବପତ୍ର ସବୁ ବିଛାଡ଼ି ହୋଇପଡ଼ିଥିଲା ।

ଭଙ୍ଗା ଘର ବାରଣ୍ଡାରେ ଦରପୋଡ଼ା ଓ ସଂଜ୍ଞାହୀନ ଅବସ୍ଥା‌ରେ ପଡ଼ିରହିଥିଲା ଶିବାନନ୍ଦ । ତା’ର ଗୋଟିଏ ଗୋଡ଼ ପ୍ରାୟ ଛିଡ଼ିଯାଇଥିଲା । ମୁହଁ, ହାତ, ପେଟ, ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଘର ଭିତରେ ତା ବୃଦ୍ଧା ମା’ ସାମାନ୍ୟ ଆହତ ହୋଇଥିଲେ ଏବଂ ବର୍ତ୍ତିଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଆମ୍ବୁଲାନ୍‌ସ ଯୋଗେ ତାକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । କିନ୍ତୁ କଟକ ସ୍ଥାନାନ୍ତର ହେବା ପୂର୍ବରୁ ସେଠାରେ ତା’ର ମୃତ୍ୟୁ ଘଟିଥିଲା । କମିସନରେଟ ପୁଲିସ ଉକ୍ତ ଘରକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି ।