ଆତ୍ମଘୋଷିତ ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ । ନାବାଳିକା ଦୁଷ୍କର୍ମ ମାମଲାରେ ରାଜସ୍ଥାନର ଯୋଧପୁର କୋର୍ଟ ଶୁଣାଇଲେ ରାୟ

123

କନକ ବ୍ୟୁରୋ: ବିବାଦୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ଦୋଷୀ ସାବ୍ୟସ୍ତ । ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୩ର ହୋଇଥିବା ନାବାଳିକା ବଳାକ୍ରାର ମାମଲାରେ ବିଚାର କରି ଯୋଧପୁର ସେଂଟ୍ରାଲ ଜେଲ ପରିସରରେ ବସିଥିବା ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆଶାରାମଙ୍କୁ ପୋକ୍ସୋ ଆକ୍ଟ ଓ ଏସସିଏସଟି ଆଟ୍ରୋସିଟିଜ୍ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି । ଆଶାରାମଙ୍କ ସହଯୋଗୀ ଶରତଚନ୍ଦ୍ର ଓ ଶିଳ୍ପୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତେବେ ଏହି ମାମଲାରେ ଅନ୍ୟ ୨ଅଭିଯୁକ୍ତ ରୋଷେୟା ପ୍ରକାଶ ଓ ଆଶ୍ରମ କର୍ମଚାରୀ ଶିବାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । କୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛନ୍ତି ପୀଡିତାଙ୍କ ପରିବାର । ଏବଂ ବାବାଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଆଶାରାମଙ୍କ ଆଶ୍ରମର ମୁଖପାତ୍ର ନିଲମ ଦୁବେ କହିଛନ୍ତି ନ୍ୟାୟପାଳିକା ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରଷା ରହିଛି । ଆଇନ ପରାମର୍ଶଦାତାଙ୍କ ସହ କୋର୍ଟଙ୍କ ରାୟ ନେଇ ଆଲୋଚନା ପରେ ପରବର୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୁରକ୍ଷା ଦୃଷ୍ଟିରୁ ଯୋଧପୁର ସେଂଟ୍ରାଲ ଜେଲରେ ଆଜି ସ୍ୱତନ୍ତ୍ର କୋର୍ଟ ବସାଯାଇଥିଲା । ଜଣେ ୧୬ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଗଷ୍ଟ ୩୧, ୨୦୧୩ ମସିହାରୁ ଜେଲରେ ଅଛନ୍ତି । ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ବାବା ତାଙ୍କୁ ୨୦୧୩ ଅଗଷ୍ଟ ୧୫ ତାରିଖରେ ଯୋଧପୁର ଅଂଚଳର ମନାଇ ଆଶ୍ରମକୁ ଡାକି ବଳାତ୍କାର କରିଥିଲେ ।

ରାୟକୁ ଦୃଷ୍ଟିରେ ରଖି ଯୋଧପୁରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସହରରେ ୧୪୪ ଧାରା ଜାରି କରାଯାଇଛି । ରାୟ ପ୍ରକାଶକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ଥିବାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନ, ଗୁଜରାଟ ଓ ହରିଆଣା ରାଜ୍ୟକୁ ନିର୍ଦ୍ଦେଶ ନାମା ଜାରି କରି ଅଲର୍ଟ ରହିବାକୁ କହିଛନ୍ତି । ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ କୁହାଯାଇଛି । କୌଣସି ପ୍ରକାର ଶୋଭାଯାତ୍ରା, ବିକ୍ଷୋଭ କରିବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ରାମରହିମଙ୍କୁ ସିବିଆଇ କୋର୍ଟଙ୍କ ରାୟ ପରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଧ୍ୟାନରେ ରଖି ଏପରି ପଦକ୍ଷେପ ନେଇଛି ପ୍ରଶାସନ । ସାରାଦେଶରେ ଆଶାରାମଙ୍କ ୪୨୭ଟି ଆଶ୍ରମ ରହିଛି ଏବଂ ପ୍ରାୟ ୭୦ ଲକ୍ଷରୁ ଅଧିକ ସମର୍ଥକ ରହିଛନ୍ତି । ଏପରିକି ଆଜି ଯୋଧପୁରରେ ହଜାର ହଜାର ସମର୍ଥକ ଓ ଭକ୍ତ ଏକାଠି ହୋଇଛନ୍ତି । ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜେଲ ପରିସରରେ ହିଁ ଏହି ରାୟ ପ୍ରକାଶ ପାଇଛି । ଆଶାରାମଙ୍କ ନାଁରେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ମାମଲା ରହିଛି । ୭୭ ବର୍ଷିୀୟ ଆଶାରାମ ବିଭିନ୍ନ ମାମଲାରେ ଏବେ ଯୋଧପୁର ଜେଲରେ ଅଛନ୍ତି ।

ଉଲ୍ଲେଖ ଥାଉ କି, ଉତରପ୍ରଦେଶ ଶାହାଜାହାଁପୁରରେ ଜଣେ ୧୬ ବର୍ଷର ନାବାଳିକା ମଧ୍ୟପ୍ରଦେଶର ଆଶ୍ରମରେ ରହି ପଢୁଥିଲେ । ତାଙ୍କୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଆଶାରାମ ନିଜ କୋଠରୀକୁ ଡାକି ନେଇ ଦୁଷ୍କର୍ମ କରିଥିବା ଖୋ ଦ୍ ନାବାଳିକା ଅଭିଯୋଗ କରିଥିଲେ । ୨୦୧୩ ସେପେଟମ୍ବର ପହିଲାରେ ତାଙ୍କୁ ଇନ୍ଦୋରରୁ ଗିରଫ କରାଯାଇଥିଲା । ସେହିବର୍ଷ ଆଶାରାମ ଓ ଅନ୍ୟ ୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଥିଲା । ୨୦୧୪ ମସିହାରୁ ଏହି ମାମଲାର ଶୁଣାଣି ହୋଇଛିା ୯ ଜଣ ସାକ୍ଷୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ୫୨ ଜଣ ସାକ୍ଷୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଗତ ୭ ତାରିଖରେ ମାମଲାର ଶୁଣାଣି ଶେଷ ହୋଇଥିଲା ।