କରୋନା କାଳରେ କେମିତି ଚାଲିଛି ପାଠପଢା, ଆସିଲା ଅସର ୨୦୨୦ ରିପୋର୍ଟ । ଓଡ଼ିଶାରେ ୫୦ ପ୍ରତିଶତ ପିଲାଙ୍କ ପରିବାର ପାଖରେ ନାହିଁ ସ୍ମାର୍ଟ ଫୋନ୍, ମୋବାଇଲ ବ୍ୟବହାରରେ ବି ପଛରେ ପଡିଛି ରାଜ୍ୟ ।

248
କନକ ବ୍ୟୁରୋ: କୋଭିଡ ମହାମାରୀ ସମୟରେ ଦେଶରେ ତଥା ଆମ ରାଜ୍ୟରେ କେମିତି ଚାଲିଛି ଏଲିମେଂଟାରୀ ଶିକ୍ଷା? ଏହାର ବିବରଣୀ ପ୍ରକାଶ କରିଛି ଅସର-୨୦୨୦ । ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ପାଠପଢ଼ାରେ ସ୍ମାର୍ଟ ଫୋନ ବ୍ୟବହାର ୩୬.୫ ପ୍ରତିଶତରୁ ୬୧.୮ ପ୍ରତିଶତକୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ଗୁଜୁରାଟ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ ତ୍ରିପୁରା ଭଳି ରାଜ୍ୟରେ ସ୍ମାର୍ଟ ଫୋନ ବ୍ୟବହାର ୩୦ ପ୍ରତିଶତ ବଢ଼ିଛି । ତେବେ ଏହି କ୍ଷେତ୍ରରେ କିଛିଟା ପଛରେ ପଡିଛି ଓଡ଼ିଶା ।
୨୦୧୮ରେ ଓଡ଼ିଶାର ସ୍କୁଲରେ ପାଠ ପଢୁଥିବା ପିଲାଙ୍କ ମଧ୍ୟରୁ ୨୬.୧ ପ୍ରତିଶତଙ୍କ ଘରେ ସ୍ମାର୍ଟ ଫୋନ ଥିଲା । ୨୦୨୦ରେ ୪୯.୩ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଘରେ ସ୍ମାର୍ଟ ଫୋନ ଉପଲବ୍ଧ । ଅର୍ଥାତ ଓଡ଼ିଶାର ଅଧା ଭାଗ ଛାତ୍ରଛାତ୍ରୀଙ୍କ ପରିବାରରେ ସ୍ମାର୍ଟ ଫୋନ ଉପଲବ୍ଧ ନାହିଁ । ତେବେ ଓଡ଼ିଶାରେ ଅଧିକ ପିଲାଙ୍କ ପାଖରେ ପାଠ ବହି ପହଁଚିଛି । ଦେଶରେ ୮୦ ପ୍ରତିଶତରୁ ଅଧିକ ପିଲାଙ୍କ ପାଖରେ ପାଠବହି ରହିଛି ।
ତେବେ ଓଡ଼ିଶାରେ ଏହି ଅନୁପାତ ୮୮.୬ ପ୍ରତିଶତ ରହିଛି । ଗତ ଦୁଇ ବର୍ଷରେ ଦେଶରେ ସରକାରୀ ସ୍କୁଲଗୁଡିକରେ ପଂଜିକୃତ ହୋଇଥିବା ପିଲାଙ୍କ ଅନୁପାତ ବଢ଼ିଛି । ତେବେ ଓଡ଼ିଶାରେ ଏହାର ଧାରା ଅଲଗା ରହିଛି । ସମସ୍ତ ଶ୍ରେଣୀରେ ଉଭୟ ପୁଅ ଓ ଝିଅଙ୍କ ପଂଜିକରଣ ଅନୁପାତ ସରକାରୀ ବିଦ୍ୟାଳୟରେ କମିଛି ଓ ବେସରକାରୀ ବିଦ୍ୟାଳୟରେ ପିଲାଙ୍କ ପଂଜିକରଣ ବୃଦ୍ଧି ପାଇଛି ।