ବିଜେପି ସାଂସଦଙ୍କ ନାଁରେ ଅଭିଯୋଗ । ଆସନସୋଲ ଗଣ୍ଡଗୋଳ ଘଟଣାରେ ବାବୁଲ ସୁପ୍ରିୟୋଙ୍କୁ ଦାୟୀ କଲେ ମେୟର ଜିତେନ୍ଦ୍ର ତିୱାରୀ ।

135

କନକ ବ୍ୟୁରୋ : ଆସନସୋଲ୍‌ ମୁନିସପାଲ୍‌ କର୍ପୋରେସନ ମେୟର ଜିତେନ୍ଦ୍ର କୁମାର ତିଓ୍ଵାରୀ କିଛି ବିଜେପି ନେତା ଓ ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଶୁକ୍ରବାର ବିଜେପି କ୍ୟାଡର୍‌ରେ ଆୟୋଜିତ ହୋଇଥିବା ଏକ ରକ୍ତଦାନ ଶିବିରରେ ବାବୁଲ ସୁପ୍ରିୟୋ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀମାନଙ୍କ ଭିତରେ ଗଣ୍ଡଗୋଳ ଉପୁଜାଇବାକୁ ପ୍ରବର୍ତ୍ତାଇ ଥିଲେ ବୋଲି ମେୟର ଅଭିଯୋଗ ଆଣିଛନ୍ତି । ସୁପ୍ରିୟୋ ପାଲଟା ଉତ୍ତର ଦେଇ ମେୟର ଜିତେନ୍ଦ୍ର କୁମାରଙ୍କୁ ଟିଏମ୍‌ସି ଗୁଣ୍ଡାମାନଙ୍କର ନେତା ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଆସନସୋଲ୍‌ ଜିଲ୍ଲା ହସ୍ପିଟାଲ୍‌ରେ ରକ୍ତର ଅଭାବ ପରିଲକ୍ଷିତ ହେବା ପରେ ଜୁଲାଇ ୫ ତାରିଖରେ ଅସନସୋଲ୍‌ ମୁନ୍‌ସିପାଲ୍‌ କର୍ପୋରେସନ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲା । ମେୟର ଅଭିଯୋଗ ଆଣି କହିଛନ୍ତି ଯେ ସାଂସଦ ବାବୁଲ ସୁପ୍ରିୟୋଙ୍କ କଥାରେ ପଡ଼ି କିଛି ବିଜେପି କର୍ମୀ ସେଠାରେ ପହଞ୍ଚି ସେମାନଙ୍କ କାମରେ ବାଧା ସୃଷ୍ଟି କରିବା ସହ ହିଂସା ଉପୁଜାଇଥିଲେ । ଫଳରେ ଅନେକ ଲୋକ ଡରରେ ଜାଗା ଛାଡ଼ି ପଳାଇଥିଲେ । ଏହାକୁ ଅସ୍ୱୀକାର କରି ବାବୁଲ ସୁପ୍ରିୟୋ କହିଛନ୍ତି ଯେ ଏହି ଘଟଣାର ଭିଡିଓ ଉପଲବ୍ଧ । ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଗୁଣ୍ଡା ପୁଲିସ୍‌ ସାମ୍ନାରେ ଛୁରୀ ଦେଖାଇଛନ୍ତି ।