କନକ ବ୍ୟୁରୋ: ଆଜି ପୂର୍ବାହ୍ନ ୧୦.୩୦ରେ କଟକ ରେଭେନ୍ସା ବିଶ୍ବବିଦ୍ୟାଳୟ କନ୍ଭେନ୍ସନ ସେଣ୍ଟରରେ ‘ସମ୍ବାଦ ସାହିତ୍ୟ ଘର’ର ଷଷ୍ଠ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେଉଛି। ସାହିତ୍ୟ ଘରର ପ୍ରତିଷ୍ଠାତା-ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୋୖରୋହିତ୍ୟରେ ତଥା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଈସାନ ପାତ୍ରଙ୍କ ଉପସ୍ଥିତିରେ ହେଉଥିବା ଉଦଘାଟନୀ ସମାରୋହରେ ଓଡ଼ିଶାର ଦୁଇ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ର ଓ ମନୋଜ ଦାସ ଯଥାକ୍ରମେ ଉଦଘାଟକ ଓ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟର ମୋଟ ୩୪୦ ସାହିତ୍ୟ ଘର ଶାଖାର ଦୁଇଜଣ ଲେଖାଏଁ ପ୍ରତିନିଧିଙ୍କୁ ନେଇ ହେଉଥିବା ଏହି ସାରସ୍ବତ ସମାରୋହରେ ଓଡ଼ିଆ ସାହିତ୍ୟ ଓ ଲୋକସଂସ୍କୃତିକୁ ନେଇ ଏକ ବୁଲେଟିନ୍ ଉନ୍ମୋଚିତ ହେଉଥିବା ବେଳେ ଶାଖାଗୁଡ଼ିକର ବର୍ଷତମାମ କାର୍ୟ୍ୟକ୍ରମକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବ।
ଏହାପରେ ସାହିତ୍ୟ ଓ ରାଜନୀତି ସମ୍ପର୍କିତ ହେଉଥିବା ଆଲୋଚନାଚକ୍ରରେ ଆଲୋଚକ ଭାବେ ବିଶିଷ୍ଟ ସାହିତ୍ୟକ ବିଭୂତି ପଟ୍ଟନାୟକ, ଡ.ଗୌରହରି ଦାସ, ସ୍ତମ୍ଭକାର ରଣଜିତ ଗୁରୁ, ଗାଳ୍ପିକ ଓ ଭାଷ୍ୟକାର ଦେବପ୍ରସାଦ ଦାସ, ପ୍ରାଧ୍ୟାପକ ଡ.ସନ୍ତୋଷ ରଥ, ପ୍ରଫେସର ସଂଗୀତା ରଥ ପ୍ରମୁଖ ଯୋଗଦେବେ। ପରବର୍ତ୍ତୀ ଅଧିବେଶନରେ ରେଭେନ୍ସା ବିଶ୍ବବିଦ୍ୟାଳୟର ତିନି ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର, ପତିତପାବନ ଦାସ ଓ ଓଁକାର ରାଉତଙ୍କ ମିଳିତ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବ। ଉକ୍ତ କବିତା ପାଠୋତ୍ସବରେ କବି ଅମରେଶ ପଟ୍ଟନାୟକ ଓ ସଂଗ୍ରାମ ଜେନା ଅତିଥି ଭାବେ ଯୋଗଦେବେ।
ମନୋନୀତ ପ୍ରତିନିଧିମାନଙ୍କୁ ନେଇ ସକାଳ ୯ଟାରୁ ୧୦ଟା ଯାଏ ପଂଜୀକରଣ ହେବ। ରାଜ୍ୟର ବିଭିନ୍ନ ସାହିତ୍ୟ ଘର ଶାଖା ତରଫରୁ ପ୍ରକାଶିତ ବାର୍ଷିକ ମୁଖପତ୍ର/ବୁଲେଟିନ୍ ମଧ୍ୟ ପ୍ରଦର୍ଶିତ ହେବ। ତେଣୁ ପ୍ରତି ଶାଖାର ପ୍ରତିନିଧିମାନେ ଉକ୍ତ ମୁଖପତ୍ର/ବୁଲେଟିନରୁ ଦୁଇଖଣ୍ଡ ଲେଖାଏଁ ସାଙ୍ଗରେ ନେଇଆସିବା ପାଇଁ ଅନୁରୋଧ କରାଯାଇଛି। ଏଥିସହ ଏହି ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ପୁସ୍ତକ ପ୍ରଦର୍ଶନୀ ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏ ଚାଲିବ ବୋଲି ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଶୁଭଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସଦ୍ୟ ପ୍ରକାଶିତ ୧୮୦୦ ଟଙ୍କା ମୂଲ୍ୟର ‘ସାହିତ୍ୟ କୋଷ’ ଗ୍ରନ୍ଥ ରିହାତି ମୂଲ୍ୟରେ ୧୨୫୦ ଟଙ୍କାରେ ସେଠାରେ ଉପଲବ୍ଧ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Sequence-1-01083902.jpg)