ପ୍ରତ୍ୟାହାର ହେଲା କୃଷି ଆଇନ । ଅସଦୁଦ୍ଦିନ ଓୱେସି କହିଲେ…।

145

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ୩ କୃଷି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କରିବା ପରେ ରାଜନୀତିସ୍ତରରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଥିଲା । ଏହି ଘୋଷଣା କେବଳ ଅନ୍ଦୋଳନରତ ଚାଷୀଙ୍କୁ ଖୁସି କରିନଥିଲା ବରଂ ବିରୋଧୀ ଶିବିରକୁ ବୟାନବାଜୀ ପାଇଁ ସୁଯୋଗ ଦେଇଥିଲା । ଏହି ଘୋଷଣା ପରେ ବିରୋଧୀ ଶିବିରରୁ ମୋଦୀ ସରକାରଙ୍କୁ ବିଭିନ୍ନ ଉପାୟରେ ଟାର୍ଗେଟ କରାଯାଇଛି । ଆଉ ଏସବୁ ଭିତରେ ଏଆଇଏମଆଇଏମ ପ୍ରମୁଖ ଅସଦୁଦ୍ଦିନ ଓୱେସି ବଡ ବୟାନ ରଖିଛନ୍ତି । କୃଷି ଆଇନ ଭଳି ମୋଦୀ ସରକାର ଖୁବଶୀଘ୍ର ସିଏଏ ଆଇନକୁ ମଧ୍ୟ ପ୍ରତ୍ୟାହାର କରିବେ ।

ଓୱେସି କହିଛନ୍ତି, କୃଷି ଆଇନକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ସରକାର ବହୁତ ବିଳମ୍ବରେ ନେଇଛନ୍ତି । ଏହା ଚାଷୀଙ୍କ ଆନ୍ଦୋଳନ ପାଇଁ ସମ୍ଭବ ହେଲା, ଏହା ଚାଷୀଙ୍କ ସଫଳତା । ବଡ ବଡ ରାଜ୍ୟରେ ନିର୍ବାଚନ ହେବାକୁ ଅଛି, ତେଣୁ ଏହା ପୂର୍ବରୁ ଏଭଳି ନିଷ୍ପତ୍ତି ସରକାର ନେଇଛନ୍ତି । କିନ୍ତୁ ସେଦିନ ବି ଦୂର ନୁହେଁ, ଯେବେ ମୋଦୀ ସରକାର ସିଏଏ ଆଇନକୁ ବି ପ୍ରତ୍ୟାହାର କରିନେବେ ।

ଏହାସହ ଓୱେସି କହିଛନ୍ତି, ଧାରା ୩୭୦ ଉଚ୍ଛେଦ ପରେ କଣ କାଶ୍ମୀର ସ୍ଥିତିରେ ସୁଧାର ଆସିଛି କି?କାଶ୍ମୀରରେ ଏବେ ବି ସ୍ଥିତିରେ କୌଣସି ସୁଧାର ଆସିନି । ଯେଉଁ ନିଷ୍ପତ୍ତି ମୋଦୀ ସରକାର ନେଉଛନ୍ତି ସବୁଥିରେ ଫେଲ ମାରୁଛନ୍ତି । ଯେଉଁଥିପାଇଁ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେଲେ ସରକାର । ଏହାସହ ଏହି ଆନ୍ଦୋଳନରେ ଯୋଜ ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି ସମସ୍ତଙ୍କୁ ଆର୍ଥିକ ସହାୟତା ଦିଆଯାଉ । ମୋଦୀ ସରକାର ନିଜର ଅହଂ ଭାବ ପାଇଁ ଏହି ଆଇନ ପାରିତ କରିଥିଲେ ।

ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେଶର ଅନ୍ନଦାତା ଆନ୍ଦୋଳନ ମାଧ୍ୟମରେ ଅହଂକାରର ମୁଣ୍ଡ ତଳକୁ ନୁଆଁଇଛନ୍ତି । ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟକୁ ସ୍ୱାଗତ ଜଣାଇଛନ୍ତି ରାହୁଲ । ଜୟ ହିନ୍ଦ୍ ଏବଂ ଜୟ କିଷାନ ବୋଲି କହିଛନ୍ତି ରାହୁଲ ।