୧୧% ଯାଦବ ଭୋଟ ଯଦି ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ କରୁଛି, ୧୯% ମୁସଲିମ୍ ଭୋଟ୍ କାହିଁକି ମୁଖ୍ୟମନ୍ତ୍ରୀ କରିବନି: ଅସଉଦ୍ଦିନ ଔବୈସୀ

287

କନକ ବ୍ୟୁରୋ: ଆସନ୍ତାବର୍ଷ ଉତ୍ତରପ୍ରଦେଶ ଦେଖିବାକୁ ଯାଉଛି ବିଧାନସଭା ନିର୍ବାଚନ । ଯେଉଁଥିପାଇଁ ଏବେଠୁ ରାଜନୈତିକ ଦଳମାନେ ପ୍ରସ୍ତୁତ ହେବା ସହିତ ପରସ୍ପରକୁ ଆକ୍ଷେପ କରିବା ଆରମ୍ଭ କରିଦେଲେଣି । ଏହିକ୍ରମରେ ଆଜି ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ ଔବୈସୀ ୟୁପିରେ ସମାଜବାଦୀ ପାର୍ଟି ଆଉ ବିଜେପି ଉପରେ ଖୁବ ବର୍ଷିଛନ୍ତି । ଯଦି ୧୧ ପ୍ରତିଶତ ଯାଦବ ଭୋଟ୍ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ ବନେଇପାରୁଛି, ତେବେ ୧୯ ପ୍ରତିଶତ ମୁସଲିମ୍ ଭୋଟ୍ ଉତ୍ତରପ୍ରଦେଶରେ କାହିଁକି ମୁସଲିମ୍ ମୁଖ୍ୟମନ୍ତ୍ରୀ ବନେଇପାରିବନି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ ଔବୈସୀ ଏବେ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ଆଉ ଆଜି ବାରାବଙ୍କୀରେ ପହଞ୍ଚିବା ପରେ ସେ ତିନି ତଲାକକୁ ନେଇ ବିଜେପିକୁ ଟାର୍ଗେଟ କରିବା ସହିତ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିକୁ ମଧ୍ୟ ପ୍ରଶ୍ନବାଣ ମାରିଛନ୍ତି । ଅସଉଦ୍ଦିନ ଔବୈସୀ କହିଛନ୍ତି, ତାଙ୍କ ଦଳ କେବଳ ନିର୍ବାଚନ ଲଢିବାକୁ ଆସିନି ବଂର ଉତ୍ତରପ୍ରଦେଶରେ ଏକ ମଜଭୁତ ଦଳ ହୋଇ ଉଠିବାକୁ ଆସିଛି । ଯାଦବ ଭୋଟ ବ୍ୟାଙ୍କ କଥା ଉଦାହରଣ ଦେଇ ସେ ମୁସଲମାନମାନଙ୍କୁ ଏକତ୍ରିତ ହେବାକୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ୨୦୧୪ରୁ ମବ ଲିଞ୍ଚିଙ୍ଗରେ ନାଁରେ କେବଳ ମୁସଲମାନମାନଙ୍କୁ ମାଡ ମରାଯାଉଛି । ଉତ୍ତରପ୍ରଦେଶରେ ମୁସଲମାନଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କୁ ପୋଲିସ ଗିରଫ କରୁଛି, ହେଲେ ସେମାନଙ୍କୁ ମାତ୍ର ୨୪ ଘଣ୍ଟା ଭିତରେ ହିଁ ବେଲ୍ ମିଳିଯାଉଛି । ଭାରତ ସେତେବେଳେ ମଜଭୁତ ହେବ ଯେତେବେଳେ ଦେଶର ମୁସଲମାନ ଭାଇଭଉଣୀମାନେ ମଜଭୁତ ହେବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ମୋଦୀ ସରକାରକୁ ଟାର୍ଗେଟ କରି ସେ କହିଛନ୍ତି, ତିନି ତଲାକ ଆଇନ୍ ପୁରୁଷମାନଙ୍କୁ ଅଧିକ ମଜଭୁତ କରିଛି । ଯେଉଁ ଲୋକମାନେ ନିଜ ସ୍ତ୍ରୀଙ୍କୁ ପାଖରେ ରଖୁନାହାଁନ୍ତି ସେମାନଙ୍କ ପାଇଁ ମଧ୍ୟ ସରକାର କଡା ଆଇନ୍ ଆଣିବା ଉଚିତ୍ ବୋଲି ସେ ମତ ରଖିଛନ୍ତି । ସେହିପରି ପୂର୍ବରୁ କେବଳ ଧର୍ମନିରପେକ୍ଷତା ନାଁରେ ହିଁ ମୁସଲମାନମାନେ ଭୋଟ୍ ଦେଉଥିଲେ । ହେଲେ ଏବେ ସମସ୍ତେ ସାଙ୍ଗ ହୋଇ ଆଗକୁ ଆସିବା ସହିତ ନିଜର ସ୍ଥିତିକୁ ମଜଭୁତ କରିବାକୁ କହିଛନ୍ତି । ଏବେ ମୁସଲମାନମାନେ ମଧ୍ୟ ନେତା ବନିବାର ସମୟ ଆସିଛି ଏବଂ ଶକ୍ତିଶାଳୀ ହେବାର ଅଛି ବୋଲି ଅସଉଦ୍ଦିନ ଔବୈସୀ କହିଛନ୍ତି ।

ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତଞ୍ଜ କଷି ଔବୈସୀ କହିଛନ୍ତି, ୟୁପିରେ ବାବା ବହୁତ ବିକାଶ କରିଛନ୍ତି । ରାସ୍ତାରେ ଏବେ କେବଳ ଗାତ ହିଁ ଗାତ ନଜର ଆସୁଛି । ପିଲାମାନେ ଜ୍ୱରରେ ମରୁଛନ୍ତି, ହେଲେ ବାବା ବିକାଶ କରୁଛନ୍ତି ବୋଲି ସେ କହିଛନ୍ତି ।