କନକ ବ୍ୟୁରୋ : ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଗାଡି ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ଆଜି ସଂସଦରେ ବୟାନ ଦେଇଛନ୍ତି ଓୱେସି । ସେ କହିଛନ୍ତି କି ଦେଶରେ ଚାଲିଥିବା ଘୃଣାର ରାଜନୀତିକୁ ସମାପ୍ତ କରାଯାଉ ଓ ଏହା ଆପଣଙ୍କ ଦାୟିତ୍ୱ ବୋଲି ସେ ସଂସଦରେ କହିଛନ୍ତି । ସେ ଆହୁରି କହିଛନ୍ତି କି ମୋତେ ଜେଡ ସୁରକ୍ଷାର ଆବଶ୍ୟକତା ନାହିଁ କି ମୋର ମୃତ୍ୟୁକୁ ଡର ନାହିଁ ହେଲେ ଗୁଳି ଚଳାଇଥିବା ଯୁବକଙ୍କୁ କିଏ ମତାଇଛି ତାହା ସ୍ପଷ୍ଟ ହେଉ । ଏହାସହ ଏଭଳି କାର୍ଯ୍ୟର ଜବାବ୍ ୟୁପିର ଜନତା ଦେବେ ବୋଲି ସେ ଆଶା କରିଛନ୍ତି ।

Advertisment

ସଂସଦରେ ଓୱେସି କହିଥିଲେ କି ସେ ୧୯୯୫ ମସିହାରୁ ରାଜନୀତି କରୁଛନ୍ତି । ତେଣୁ ଲୋକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ହେଉଛି ନେତାଙ୍କ କାମ, ନିଜେ କେତେ ସୁରକ୍ଷିତ ତାହା ସେମାନଙ୍କ ଉପରେ ଭରଶା କରୁଥିବା ଲୋକ କହିପାରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଗଡବଡ ମାମଲାରେ ସେ ପଞ୍ଜାବ ସରକାରଙ୍କୁ ନିନ୍ଦା କରିଥିବା କଥା କହିଛନ୍ତି ।

କହିରଖୁ କି ଗୁରୁବାର ଦିନ ଏକ ନିର୍ବାଚନ ପ୍ରଚାର ସାରି ସେ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ହେଲେ ଗୁଳି ତାଙ୍କ ଉପରେ ନବାଜି ତାଙ୍କ ଗାଡିରେ ବାଜିଥିଲା । ଏହାପରେ କେନ୍ଦ୍ର ସରକାର ଓୱେସିଙ୍କୁ ସିଆରପିଏଫ କମାଣ୍ଡୋ ଦ୍ୱାରା ଜେଡ ପ୍ଲସ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ତାହାକୁ ଆଜି ସଂସଦରେ ଗ୍ରହଣ କରି ନାହାଁନ୍ତି ଓୱେସି ।