ଉତ୍ତର ପ୍ରଦେଶ ଉପ ନିର୍ବାଚନରେ ଓୱେସୀ- ପଲ୍ଲବୀ ମେଣ୍ଟ । ଜାଣନ୍ତୁ କଂଗ୍ରେସ ଓ ସମାଜବାଦୀ ମେଣ୍ଟ ର ସ୍ଥିତି

338

କନକ ବ୍ୟୁରୋ : ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ ଉତର ପ୍ରଦେଶରେ ବିଜେପିକୁ ପଛରେ ପକାଇଦେଇଛି । ଏବେ ପୁଣି ଉତ୍ତର ପ୍ରଦେଶର ୧୦ ଟି ବିଧାନସଭା କ୍ଷେତ୍ରରେ ଉପ ନିର୍ବାଚନ ହେବାକୁ ଯାଉଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ବି ମେଣ୍ଟ ରାଜନୀତି ଜୋର ଧରିଲାଣି । ବିଜେପି ପୁଣିଥରେ ଏନଡିଏ ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଉଛି । ସେପଟେ ଓୱେସୀଙ୍କ ପାର୍ଟି ଏଆଇଏମଆଇଏମ ଓ ପଲ୍ଲବୀ ପଟେଲଙ୍କ ଅପନା ଦଳ(କମେରାବାଦୀ) ମିଳିତ ଭାବେ ନିର୍ବାଚନ ଲଢିବାକୁ ସଂକେତ ଦେଇଛନ୍ତି । ଏହି ମେଣ୍ଟ ୧୦ ଟି ଯାକ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛି ।

କେବଳ ଏହି ମେଣ୍ଟ ନୁହେଁ ପ୍ରଥମଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ଭୀମା ଆର୍ମୀ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମଧ୍ୟ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, କାହା ସହ ମେଣ୍ଟ ନକରି ଦଳ ୧୦ ଟି ଯାକ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଲଢିବ । ଚନ୍ଦ୍ରଶେଖରଙ୍କ ଏଭଳି ଘୋଷଣା ପରେ ବହୁଜନସମାଜବାଦୀ ପାର୍ଟି ଭିତରେ ଭାଳେଣି ପଡିଛି ।

ସେପଟେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମେଣ୍ଟ ଏହି ୧୦ ଟି ଯାକ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଦେବେ । ହେଲେ କିଏ କେତେ ଆସନ ଓ କେଉଁ ଆସନରୁ କିଏ ପ୍ରାର୍ଥୀ ଦେବ ତାହା ନିର୍ଣ୍ଣୟ ହୋଇନାହିଁ ।