ମୋଦି ସରକାରଙ୍କ ନୂତନ କାର୍ଯ୍ୟକାଳ ଆରମ୍ଭରୁ ହିଁ ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଶନ ରେଡ୍ଡି ଆତଙ୍କବାଦ ପ୍ରସଙ୍ଗ ନେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ରେଡ୍ଡି ଗଣମାଧ୍ୟମକୁ କହିଥିଲେ ଯେ ହାଇଦ୍ରାବାଦ ଆତଙ୍କବାଦୀ ପାଇଁ ନିରାପଦ ଆଡ୍ଡା ପାଲଟି ଯାଇଛି। ବିଭିନ୍ନ ଆତଙ୍କବାଦୀ କାଣ୍ଡରେ ଏନଆଇଏର ଯାଞ୍ଚ ବେଳେ ଏହାର ଚେର ହାଇଦ୍ରାବାଦରେ ଥିବା ଜଣାପଡ଼ୁଛି। ହାଇଦ୍ରାବାଦରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଯାଇଥିଲେ ମଧ୍ୟ ତେଲେଙ୍ଗାନା ସରକାର ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ରେଡ୍ଡି କହିଥିଲେ। ଭାରତର ଯେକୌଣସି ସହରରେ ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତ ବେଳେ ଏହାର ଚେର ହାଇଦ୍ରାବାଦରେ ଥିବା ତଦନ୍ତକାରୀ ସଂସ୍ଥାମାନଙ୍କ ରିପୋର୍ଟରୁ ଜଣାପଡୁଥିବାରୁ ଏହା ଏକ ଗୁରୁତର ପ୍ରସଙ୍ଗ ବୋଲି ରେଡ୍ଡି କହିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏଭଳି ବୟାନ ପରେ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ତାଗିଦ କରିଛନ୍ତି। ଏଭଳି ବୟାନ ସଂପୂର୍ଣ୍ଣ ଅନାବଶ୍ୟକ ଏବଂ ଏଥିରୁ ଦୂରେଇ ରହିବାକୁ ସେ ରେଡ୍ଡିଙ୍କୁ କହିଥିବା ଜଣାପଡ଼ିଛି।
ତେବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଆଜି ସରକାରଙ୍କୁ ଘେରିଛନ୍ତି ଏଆଇଏମଆଇଏମ୍ ନେତା ଅସଦୁଦ୍ଦିନ ଓୱେସି। ହାଇଦ୍ରାବାଦ ସହରର ବିକାଶ ଏବଂ ଭାଇଚାରା ପ୍ରତି ଏଭଳି ମନ୍ତବ୍ୟ ଏକ ବଡ଼ ଆଘାତ ବୋଲି ଓୱେସି କହିଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ହାଇଦ୍ରାବାଦରେ କୌଣସି ଦଙ୍ଗା ହୋଇନାହିଁ ଏବଂ ଏହା ଏକ ଶାନ୍ତିପୂର୍ଣ୍ଣ ସହର ଭାବେ ପରିଗଣିତ ହୋଇଛି। ଏନଆଇଏ, ଆଇବି ଏବଂ ର’ ଭଳି ସଂସ୍ଥା ଲିଖିତ ଭାବେ ହାଇଦ୍ରାବାଦକୁ ଆତଙ୍କବାଦୀଙ୍କ ‘ସେଫ୍ ଜୋନ୍’ କହିନଥିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ହାଇଦ୍ରାବାଦକୁ ବଦନାମ କରିବା ପାଇଁ ଏଭଳି ମନ୍ତବ୍ୟ ଦେବାର ଉଦ୍ଦେଶ୍ୟ କ’ଣ ବୋଲି ଓୱେସି ପ୍ରଶ୍ନ କରିଛନ୍ତି। ତେଲେଙ୍ଗାନା ଏବଂ ହାଇଦ୍ରାବାଦ ପ୍ରତି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଘୃଣାଭାବକୁ ତାଙ୍କ ମନ୍ତବ୍ୟ ଦର୍ଶାଉଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଓୱେସି ଆଜି ହିନ୍ଦୁ-ମୁସଲିମ୍ ସଂପ୍ରଦାୟ ମଧ୍ୟରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବାରୁ ଏହାକୁ ନେଇ ମଧ୍ୟ ବିବାଦ ଉପୁଜିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଗସ୍ତ କରିବା ପାଇଁ ଯେଭଳି ଅଧିକାର ରଖୁଛନ୍ତି ମୁସଲିମମାନେ ମସଜିଦ୍ ଯିବା ପାଇଁ ସେଭଳି ଅଧିକାର ରଖୁଛନ୍ତି ବୋଲି ଓୱେସି କହିଥିଲେ। ତେବେ ବିନା କାରଣରେ ଉତ୍ତେଜନା ସୃଷ୍ଟି କରିବାକୁ ଓୱେସି ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି ଏବଂ ତାଙ୍କର ମନ୍ଦ ଉଦ୍ଦେଶ୍ୟ ସଂପର୍କରେ ଦେଶବାସୀ ସଚେତନ ଅଛନ୍ତି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/1559385436-D70seRaUEAAUJac.jpg)
/kanak/media/post_attachments/wp-content/uploads/2019/06/26092412745_885648a0a9_o-300x158.jpg)