କନକ ବ୍ୟୁରୋ : ମାଫିଆ ଅତିକ୍ ଅହମ୍ମଦ ଓ ତାର ଭାର ଅସରଫକୁ ପ୍ରୟାଗରାଜ ଠାରେ ପୋଲିସ ଉପସ୍ଥିତିରେ ହତ୍ୟା କରାଯାଇଛି । ଏହି ଘଟଣା ପରେ ଏବେ ଚାରିଆଡୁ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରାଯାଉଛି । ଏହି କ୍ରମରେ ଏଆଇଏମଆଇଏମର ମୁଖ୍ୟ ତଥା ହାଇଦ୍ରାବାଦରୁ ସାଂସଦ ଥିବା ଅସଦୁଦ୍ଦିନ ଓୱେସୀ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି, ଉତ୍ତରପ୍ରଦେଶ ସରକାର ଆଇନ ବଳରେ ନୁହେଁ ବରଂ ବନ୍ଧୁକ ମୁନରେ ଚାଲିଛି ।

Advertisment

ଓୱେସୀ ଏହି ଘଟଣାକୁ କଡା ଭାଷାରେ ନିନ୍ଦା କରିବା ସହ କହିଛନ୍ତି କି, ଏହା ଏକ କୋଲ୍ଡ ବ୍ଲଡେଡ ହତ୍ୟାକାଣ୍ଡ । ଏହାକୁ ନେଇ ଯୋଗୀ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଓୱେସୀ । ଓୱେସୀ କହିଛନ୍ତି କି ଏଭଳି ଘଟଣା ଦେଖିବା ପରେ ଦେଶର ଜନତାଙ୍କ ଆଇନ ବ୍ୟବସ୍ଥା ଉପରୁ ଭରସା ତୁଟି ଯାଇଛି । ଏହାସହ ସଂପୃକ୍ତ ମାମଲାରେ ଉତ୍ତର ପ୍ରଦେଶ ବିଜେପି ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ଓ ଏଥିପାଇଁ ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ହତ୍ୟାକାରୀମାନେ ଅତିକ ଓ ତାର ଭାଇ ଅସରଫକୁ ଗୁଳି କରିବା ପୂର୍ବରୁ ଯେଭଳି ଭାବେ ଜୟ ଶ୍ରୀରାମ ନାରା ଲଗାଇଛନ୍ତି ତାହାକୁ ନେଇ ଓୱେସୀ ପ୍ରଶ୍ନ ଉଠାଇଛନ୍ତି । ଓୱେସୀ ପ୍ରଶ୍ନ ଉଠାଇଛନ୍ତି କି ‘ଆପଣ ଗୁଳିମାରି ଧାର୍ମିକ ନାରା କାହିଁକି ଲଗାଉଛନ୍ତି’ ଏମାନଙ୍କୁ ଆଇନ ଆତଙ୍କବାଦୀ କହୁଥିବା ବେଳେ ଦେଶର କିଛି ଲୋକ ଦେଶଭକ୍ତ କହିବା ଦୁଭାଗ୍ୟଜନକ ବୋଲି ଓୱେସୀ କହିଛନ୍ତି ।