ପାକିସ୍ତାନକୁ ସମର୍ଥନ ନାରା ଦେଇଥିବା ଯୁବତୀଙ୍କ ପିତା କହିଲେ , ଝିଅ ଦେଇଥିବା ବୟାନ୍ ନିନ୍ଦାଜନକ । ସେପଟେ ଯୁବତୀଙ୍କୁ ମିଳିଲା ନାହିଁ ଜାମିନ ।

796

ବେଙ୍ଗାଲୁରୁରେ ଆୟୋଜିତ ‘ସିଏଏ’ ବିରୋଧ ରାଲିରେ ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ୍ ଦେଇଥିବା ଜଣେ ଯୁବତୀଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜାମିନ୍ ଦେଇନାହାନ୍ତି। ତେଣୁ ତାଙ୍କୁ ୧୪ ଦିନ ପାଇଁ ଜେଲ୍ ପଠାଇ ଦିଆଯାଇଛି। ଅମୂଲ୍ୟା ଲେଓନା ନାମକ ଯୁବତୀଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଆଧାରରେ ମାମଲା ରୁଜୁ କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ଦିନ ‘ଏଆଇଏମଆଇଏମ’ର ମୁଖ୍ୟ ଅସାଦୁଦ୍ଦିନ୍ ଓଓ୍ଵାସୀଙ୍କ ଦ୍ୱାରା ଆୟୋଜିତ ‘ସିଏଏ’ ବିରୋଧୀ ରାଲିରେ ଅମୂଲ୍ୟା ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ୍ ଦେଇଥିଲେ। ଅମୂଲ୍ୟାଙ୍କ ଘର କର୍ଣ୍ଣାଟକର ଚିକ୍ମାଗାଲୁର ଅଞ୍ଚଳରେ। ଅମୂଲ୍ୟାଙ୍କର ଏଭଳି କାର୍ଯ୍ୟକୁ ତାଙ୍କ ବାପା ନାପସନ୍ଦ କରି କହିଛନ୍ତି ଯେ ‘ସିଏଏ’ ବିରୋଧୀ ରାଲିରେ ତାଙ୍କ ଝିଅ ଯାହା କହିଛି ତାହା ସମ୍ପୂର୍ଣ୍ଣ ଭୁଲ୍।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଓଓ୍ଵାସି କହିଛନ୍ତି ଯେ ମୁଁ ଏଭଳି କାର୍ଯ୍ୟକୁ ନିନ୍ଦା କରୁଛି। ମୁଁ ମଧ୍ୟ ଜାଣିନି, ଏ ଯୁବତୀ କିଏ। ସେତେବେଳେ ତୁରନ୍ତ ତାଙ୍କ ପାଖକୁ ଧାଇଁ ଯାଇ କହିଥିଲି ଯେ ଏ ଭଳି ବାଜେ କଥା ମୁଁ ସହ୍ୟ କରିପାରିବି ନାହିଁ। ଏହା ପରେ ପୁଲିସ ଆସି ତାଙ୍କୁ ଗିରଫ କରିଥିଲେ ।