ସମୟ ଗଡୁଛି ଟେନସନ ବଢ଼ୁଛି: ହେଲେ, ଟିକେଟ ମିଳିବ କି ନାହିଁ, ଏଯାଏଁ ସ୍ପଷ୍ଟ କରୁନାହାନ୍ତି ବିଜେଡି ସୁପ୍ରିମୋ

352

କନକ ବ୍ୟୁରୋ: ଟେନସନରେ ବିଜେଡିର ବରିଷ୍ଠ ନେତା । ବିଜେଡି ବର୍ତମାନ ସୁଦ୍ଧା ୧୧୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲାଣି । କିନ୍ତୁ ବରିଷ୍ଠ ନେତାଙ୍କ ଆସନରେ ଏ ଯାଏଁ ପ୍ରାର୍ଥୀ ଚୂଡାନ୍ତ ହୋଇନାହିଁ । ଅନୁଗୁଳ, ବଡଚଣା ଓ କେନ୍ଦ୍ରପଡା ଭଳି ଆସନରେ ନିଷ୍ପତ୍ତି ଏବେ ବି ଝୁଲି ରହିଛି । ଫଳରେ ଏଠାରେ ବରିଷ୍ଠ ରିପିଟ ହେବେ ନା ନୂଆ ଚେହେରା ସାମ୍ନାକୁ ଆସିବେ ସେ ନେଇ ସମସ୍ତଙ୍କ ଉକ୍ରଣ୍ଠା ବଢିଯାଇଛି ।

ଶଶୀଭୂଷଣ ବେହେରା, କେନ୍ଦ୍ରାପଡା
ରଜନୀକାନ୍ତ ସିଂହ, ଅନୁଗୁଳ
ଅମର ଶତପଥୀ, ବଡ଼ଚଣା
ରଘୁନନ୍ଦନ ଦାସ, ବାଲିକୁଦା-ଏରସମା
ରବି ନନ୍ଦ, ଜୟପୁର

ବିଜେଡିର ଏହି ବରିଷ୍ଠ ନେତାଙ୍କ ଛାତି ଏବେ ଧଡଧଡ । ଆଉ ମାସେ ପରେ ରାଜ୍ୟରେ ନିର୍ବାଚନ । କିନ୍ତୁ ଏହି ବରିଷ୍ଠ ନେତାଙ୍କ ଆସନରେ ଏ ଯାଏଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି । ନେତା ଓ ସେମାନଙ୍କ ସମର୍ଥକ ଭୁବନେଶ୍ୱର ଆସି ଶଙ୍ଖଭବନରୁ ନବୀନ ନିବାସ ଯାଏଁ ପତିଆରା ଦେଖାଉଛନ୍ତି , ତଥାପି ପ୍ରାର୍ଥୀ ଘୋଷଣା ହେଉନାହିଁ । ଲାଗୁଛି ଯେମିତି, ବରିଷ୍ଠ ନେତାଙ୍କ ଆସନଗୁଡିକୁ ନେଇ କିଛି ଅଲଗା ଅଙ୍କକଷା ଚାଲିଛି ।

ଶଶୀଭୂଷଣ ବେହେରା: ୨୦୧୯ରେ କେନ୍ଦ୍ରାପଡାରୁ ବିଧାୟକ ହୋଇଥିଲେ । ଭୁବନେଶ୍ୱର ଜୟଦେବ ବଦଳରେ ତାଙ୍କୁ ଏହି ନିର୍ବାଚଳମଣ୍ଡଳୀରୁ ପ୍ରାର୍ଥୀ କରିଥିଲା ବିଜେଡି । କେନ୍ଦ୍ରାପଡାରୁ ସେ ବିଜୟୀ ବି ହୋଇଥିଲେ । କିନ୍ତୁ ଏଥର ଏହି ଆସନକୁ ନେଇ ସସପେନ୍ସ ହଟୁନି । କୁହାଯାଉଛି, କେନ୍ଦ୍ରପଡାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଗଣେଶ୍ୱର ବେହେରା । ଗଣେଶ୍ୱର ନିକଟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।

ଅମର ଶତପଥୀ: ବଡଚଣାର ୬-୬ ଥର ବିଧାୟକ ଥିବା ବିଜେଡିର ଏହି ବରିଷ୍ଠ ନେତା ଏବେ ଟେନସନରେ । ବିଜେପି ଏଠାରେ ଅମର ନାୟକଙ୍କୁ ପ୍ରାର୍ଥୀ କରିଛି । କିନ୍ତୁ ବିଜେଡିର ନାଁ ଏ ଯାଏଁ ଆସିନି । ୧୯୯୦, ୯୫, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ରେ ଅମର ଶତପଥୀ ଏଠାରୁ ବିଧାୟକ ରହିଆସିଛନ୍ତି । ୨୦୧୯ରେ ଏଠାରୁ ଅଳ୍ପ ବ୍ୟବଧାନରେ ସେ ଜିତିଥିଲେ । ଭୋଟ ବ୍ୟବଧାନ ୧ ହଜାରରୁ ସାମାନ୍ୟ ଅଧିକ ଥିଲା । କିନ୍ତୁ ଏବେ ଏହି ଆସନକୁ ନେଇ ସସପେନ୍ସ ବଢିଛି ।

କିଏ କେତେ ଭୋଟପାଇଥିଲେ
ଅମର ଶତପଥୀ: ୬୪, ୦୮୪
ଅମର ନାୟକ: ୬୨,୫୯୯
ରଜନୀକାନ୍ତ ସିଂହ-ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବଚାସ୍ପତି । ଅନୁଗୁଳ ବିଧାନସଭା ଆସନରୁ ୨୦୦୪ରୁ ଲଗାତାର ଜିତିଆସୁଛନ୍ତି ରଜନୀକାନ୍ତ ସିଂହ । ୧୧୭ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ସରିଥିଲେ ବି ଅନୁଗୁଳ ଉପରୁ ହଟୁନି ପରଦା । ଟିକେଟରେ ବିଳମ୍ବ ହେବାରୁ ରଜନୀକାନ୍ତ ସିଂହ ସମର୍ଥକଙ୍କ ସହ ଗତ ସପ୍ତାହରେ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ ବି କରିଥିଲେ ।

ସେହିଭଳି ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ଓ ଜୟପୁରରେ ରବି ନନ୍ଦ ବି ଟିକେଟରୁ ନେଇ ଆଶା-ଆଶଙ୍କାରେ ଅଛନ୍ତି । ରବି ନନ୍ଦ ୨୦୧୪ ଓ ୨୦୧୯ରେ ବିଜେଡିରୁ ଟିକେଟ ପାଇ କଂଗ୍ରେସର ତାରାପ୍ରସାଦ ବାହନୀପିତଙ୍କଠାରୁ ହାରିଯାଇଥିଲେ । ତେଣୁ ତାଙ୍କୁ ଏଥର ଟିକେଟ ମିଳିବ କି ନାହିଁ ଦ୍ୱନ୍ଦ୍ୱରେ ଅଛନ୍ତି ରବି ନନ୍ଦ । ରଘୁନନ୍ଦନ ଦାସ ୨୦୧୪ରେ ସ୍ୱାଧୀନ ଭାବେ ଲଢି ୩୨ ହଜାର ଭୋଟ ପାଇଥିଲେ । ଆଉ ୨୦୧୯ରେ ବିଜେଡିରୁ ବିଧାୟକ ହୋଇଥିଲେ । ତେବେ ବରିଷ୍ଠଙ୍କୁ ଟିକେଟ ଦେବାରେ ବିଳମ୍ବ ନେଇ ବିଜେଡି କହିଛି, ନବୀନ ପଟ୍ଟନାୟକ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ ମିିଳିବ ।

କୁହାଯାଉଛି, ବରିଷ୍ଠଙ୍କ ଏହି ନିର୍ବାଚନମଣ୍ଡଳୀରେ କିଛି ବିକଳ୍ପ ଚିନ୍ତା କରୁଥାଇପାରେ ବିଜେଡି । ଯଦି ଟିକେଟ ପକ୍କା ହୋଇଥାନ୍ତା ତାହାହେଲେ ପ୍ରାର୍ଥୀ ଘୋଷଣା ଆଗୁଆ ହୋଇସାରିଥାନ୍ତା । ଏବେ ଅପେକ୍ଷା, ଆଗାମୀ ପ୍ରାର୍ଥୀ ତାଲିକା ଘୋଷଣାରେ ଏହି ବରିଷ୍ଠଙ୍କୁ ଟିକେଟ ମିଳୁଛି ନା ଟିକେଟ କଟୁଛି ?