କନକ ବ୍ୟୁରୋ: ମଣିଷ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ ପଠାଇ ସେଠାରେ ଘର କରିବାର ସ୍ୱପ୍ନ ଦେଖୁଥିବାବେଳେ ଆଜି ମଧ୍ୟ ଏମିତି କିଛି ଲୋକ ଅଛନ୍ତି ଆଜି ପର୍ଯ୍ୟନ୍ତ ପକା ଘର ଖଣ୍ଡିଏ ପାଇବାର ବାସ୍ତବତା ଆଜି ସେମାନଙ୍କ ପାଇଁ ସାତ ସପନ ପାଲଟିଯାଇଛି । ଖାଲି ସେତିକି ନୁହେଁ ଗାଁର ବିକାଶ ହେଲେ ଦେଶର ବିକାଶ ବୋଲି ଡ଼ିଣ୍ଡିମ ପିଟୁଥିବା ସରକାରଙ୍କ ବାସ୍ତବାତା କେତେ ସତ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଉପାନ୍ତ ଗାଁରେ ।
ମାଲକାନଗିରି ଜିଲ୍ଲାର ଉପାନ୍ତ କାଲିମେଳା ବ୍ଳକର ଦୁର୍ମାଗୁଡ଼ା ଗାଁ । ବିକାଶ ଠାରୁ ବହୁ ଦୂରରେ ରହିଯାଇଛି, ଚିତ୍ରାଙ୍ଗପାଲୀ ପଂଚାୟତ ଅଫିସ ଠାରୁ ମାତ୍ର ୧୫ କିମି ଦୂରରେ ରହିଥିବା ଏହି ଗାଁ । ଗ୍ରାମର ଲୋକମାନେ ଆବାସ ଘରଟିଏ ପାଇପାରିନାହାଁନ୍ତି । କିଏ ତାଳ ପତ୍ର ଛପର କରି ରହୁଛି ତ ଆଉ କିଏ ମାଟି କାନ୍ଥ ଉପରେ ଆଜବେଷ୍ଟସ ପକାଇ ରହୁଛନ୍ତି । ଭଂଗା ଦଦରା ଘରେ ରହୁଥିବା ଏହି ଆଦିବାସୀ ପରିବାରଙ୍କ କଥା ସତେ ଯେପରି ସରକାର ଭୂଲି ଯାଇଛନ୍ତି । ଏତିକିରେ ସରିନି ଗାଁର ଦୁଃଖ । ପାହାଡ଼ ପାଦଦେଶରେ ଥିବା ଦୁର୍ମାଗୁଡ଼ା ଗାଁରେ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରଟିଏ ନଥିବାରୁ ଅଧିକାଂଶ ପିଲା ଗାଈ ଛେଳି ଚରାଉଥିବା ବେଳେ କେହି କେହି ନିକଟସ୍ଥ କେନାଲରୁ ମାଛ ଧରି ସମୟ ବିତାଇ ଦିଅନ୍ତି ।
ପକ୍କାଘର ନାହିଁ କି ଶିକ୍ଷାନୁଷ୍ଠାନ ତ ନାହିଁ । ପିଇବାକୁ ଭଲ ପାଣି ମୁନ୍ଦେ ବି ମିଳୁନାହିଁ । ଗ୍ରାମବାସୀଙ୍କୁ ପାଣି ଯୋଗାଇବା ପାଇଁ ଗତ ୩ବର୍ଷ ତଳେ ପ୍ରଶାସନ ତରଫରୁ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା । କିନ୍ତୁ ଦିନ କେଇଟା ଚାଲିବା ପରେ ଅଚଳ ହୋଇପଡ଼ିଛି । ଲୋକଙ୍କୁ ବିଶୁଦ୍ଧ ପାଣି ଟୋପାଏ ମିଳୁନଥିବା ବେଳେ ପାନୀୟ ଜଳ ପ୍ରକଳ୍ପ ଗାଈ ଗୁହାଳ ପାଲଟିଛି । ରାସ୍ତାଘାଟ କଥା କହିଲେ ଭଲ । ପକା ରାସ୍ତାଟିଏ ନଥିବାରୁ ଜରୁରୀ ସମୟରେ ଗାଁକୁ ଆମ୍ବୁଲାନସ ମଧ୍ୟ ଆସିପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।
ଦୁର୍ମାଗୁଡ଼ା ଗାଁରେ ଅନୂସୁଚିତ ଜନଜାତିର ପରିବାର ବସବାସ କରୁଛନ୍ତି । ସମସ୍ତେ ଚାଷ ବାସ ଓ ଜଙ୍ଗଲ ଉପରେ ନିର୍ଭର କରି ଚଳିଥାନ୍ତି । ଧାନ, ମାଣ୍ଡିଆ, ସୁଆଁ ଚାଷ କରିବା ସହ ଜଂଗଲରୁ ମହୁଲ ଫୁଲ, କନ୍ଦୁପତ୍ର ଓ କାଠ ସଂଗ୍ରହ କରି ପେଟ ପୋଷିଥାନ୍ତି । ଜଙ୍ଗଲ ଜାତ ଦ୍ରବ୍ୟ ନମିଳିଲେ, ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥାନ୍ତି ।