କୋଭିଡ ବିରୋଧୀ ଲଢ଼େଇ ଭିତରେ ଭାରତ ପାଇଁ ଭଲ ଖବର । ପ୍ରଥମ କମ୍ପାନୀ ଭାବେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଲା ଫାଇଜର ଇଣ୍ଡିଆ

145

କନକ ବ୍ୟୁରୋ : ପ୍ରଥମ ଫାର୍ମା କଂପାନୀ ଭାବେ ଭାରତରେ ଜରୁରୀ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର ଇଣ୍ଡିଆ । ଡ୍ରଗ୍ସ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ବା ଡିସିଜିଆଇ ଅନୁମତି ଦେଲେ ଭାରତରେ ଟିକାକରଣ ଆରମ୍ଭ ହେବ । ଡିସେମ୍ବର ୪ ତାରିଖରେ ଡିସିଜିଆଇ ନିକଟରେ ଆବେଦନ ପତ୍ର ଦାଖଲ କରିଛି ଫାଇଜର ଇଣ୍ଡିଆ ।

ବିଟ୍ରେନ ଓ ବାହାରିନ୍, ଫାଇଜର ଟିକାକୁ ଅନୁମତି ଦେଇ ସାରିଛନ୍ତି । ଆସନ୍ତା ସପ୍ତାହରେ ବିଟ୍ରେନ୍ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଫାଇଜର ଟିକାର ଆମଦାନୀ ଓ ବିକ୍ରି ପାଇଁ ଭାରତର ଅନୁମତି ଚାହଁଛି କଂପାନୀ । ଆମେରିକାର ମଲ୍ଟିନ୍ୟାସନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଓ ଜର୍ମାନୀର ବାୟୋଟେକ୍ନୋଲୋଜି କମ୍ପାନୀ ବାୟୋ-ଏନ- ଟେକ୍ ପ୍ରସ୍ତୁତ କରିଥିବା ଟିକା, ଏବେ କୋଭିଡ୍ ଭ୍ୟାକସିନ୍ ଦୌଡ଼ରେ ଆଗରେ ରହିଛି । ଫାଇଜର ପ୍ରସ୍ତୁତ କରିଥିବା ଟିକା ୯୫ ପ୍ରତିଶତ ଫଳପ୍ରଦ ହେବ ବୋଲି ଶେଷ ପର୍ଯ୍ୟାୟ ପରୀକ୍ଷଣରୁ ପ୍ରମାଣ ମିଳିଛି । ବିଟ୍ରେନ୍ରେ ଏହାର ବ୍ୟବହାର ପାଇଁ ଅନୁମତି ମିଳିସାରିଛି ।

ଏହି ଅନୁମତି ଆମର ଲକ୍ଷ୍ୟ ଥିଲା, ଏବଂ ଏଥିପାଇଁ ଆମେ ଦୀର୍ଘ ସମୟ ଧରି କାମ କରୁଥିଲୁ । ଆମେ ପ୍ରଥମରୁ ହିଁ କହିଥିଲୁ ଶେଷରେ ବିଜ୍ଞାନ ହିଁ ଜିତିବ । ଏମଏଚଆରଏ ଠିକ୍ ସମୟରେ ଆକଳନ କରି ଅନୁମତି ପାଇଁ ସହଯୋଗ କରିଥିବାରୁ ବହୁତ ଧନ୍ୟବାଦ । କରୋନା ମହାମାରୀ, ସାରା ବିଶ୍ୱକୁ ହନ୍ତସନ୍ତ କରୁଥିବା ବେଳେ ଫାଇଜର ଟିକା ୯୫ ପ୍ରତିଶତ ଫଳପ୍ରଦ ହେବା, ନୂଆ ଆଶା ଦେଖାଇଛି, ତେବେ ଭାରତ ଭଳି ଦେଶରେ ଏହି ଟିକାର ବ୍ୟବହାରକୁ ନେଇ ବଡ଼ ଆହ୍ୱାନ ରହିଛି ।

କାରଣ ଏହି ଟିକାକୁ ରଖିବା ଓ ପରିବହନ କରିବା ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଆବଶ୍ୟକ ହେଉଥିବାରୁ ଭାରତରେ ଏହି ଟିକାଦାନ କିପରି ହେବ, ଏ ନେଇ ପ୍ରଶ୍ନ ଉଠୁଛି । ଭାରତର ସବୁ ଅଂଚଳରେ ଏଭଳି କୋଲ୍ଡ ଚେନ୍ ପ୍ରସ୍ତୁତ କରିବା ସହଜ ହେବନାହିଁ । ବିଶେଷ କରି ଛୋଟ ସହର ଓ ଗ୍ରାମାଂଚଳରେ ଏହି ଟିକାକରଣ କଷ୍ଟକର ବୋଲି କୁହାଯାଉଛି ।

ସେପଟେ ପରିବହନ ଓ କୋଲ୍ଡ-ଚେନ୍ ବା ଶୀତଳ-ଶୃଙ୍ଖଳ ବନାଇବାରେ ଫାଇଜର କଂପାନୀ ସହଯୋଗ କରିବ ବୋଲି କହିଛି । କାରଣ ଟିକା ପାଇଁ ବିଶ୍ୱର ସବୁଠୁ ବଡ଼ ବଜାର ହେଉଛି ଭାରତ । ତେବେ କରୋନା ସମୟରେ ଟିକା ଯୋଗାଣ ପାଇଁ କେବଳ ସରକାର ସହ ଚୁକ୍ତି କରାଯିବ ବୋଲି ସ୍ପଷ୍ଟ କରିଛି ଫାଇଜର କଂପାନୀ ।