କରୋନା ମହାମାରୀର ତାଣ୍ଡବ ଭିତରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦୀ କହିଲେ, ପ୍ରଧାନ ସେବକ ହୋଇଥିବାରୁ ସମସ୍ତ ସୁଖ ଦୁଃଖର ସେ ଭାଗିଦାର

1,408

କନକ ବ୍ୟୁରୋ: ଦ୍ୱିତୀୟ ଲହରରେ କରୋନାର ତାଣ୍ଡବ, ଅକ୍ସିଜେନ୍, ଔଷଧ ଏବଂ ଟିକାର ଅଭାବ ନେଇ ସରକାର କଡ଼ା ସମାଲୋଚନାର ଶିକାର ହେଉଥିବା ବେଳେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଏହି ଭୂତାଣୁ ଯୋଗୁଁ ଲୋକେ ସେମାନଙ୍କ ନିକଟ ସଂପର୍କୀୟଙ୍କୁ ହରାଉଛନ୍ତି । ଦେଶବାସୀ ଦୁଃଖ ଯନ୍ତ୍ରଣା ଭୋଗୁଛନ୍ତି, ଅନ୍ୟମାନଙ୍କ ଭଳି ସେ ମଧ୍ୟ ଏହି ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି । ମୋଦୀ କହିଛନ୍ତି, ପ୍ରଧାନ ସେବକ ହୋଇଥିବାରୁ ସମସ୍ତ ସୁଖ ଦୁଃଖର ସେ ଭାଗିଦାର ।

କୃଷକଙ୍କ କାର୍ଯ୍ୟକ୍ରମ ଅବସରରେ ଦେଶବାସୀଙ୍କୁ ଅନଲାଇନ୍ରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ଅଦୃଶ୍ୟ ଏବଂ ରୂପ ବଦଳାଉଥିବା ଶତ୍ରୁ ସହ ଆମେ ମୁକାବିଲା କରୁଛୁ । ଭୂତାଣୁର ନୂଆ ମ୍ୟୁଟାଂଟ ଯୋଗୁଁ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ତେବେ ଯୁଦ୍ଧକାଳୀନ ସ୍ଥିତି ଭଳି ଏହାର ମୁକାବିଲା କରାଯାଉଛି । ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ବିଶ୍ୱମହାମାରୀ । ସାରା ପୃଥିବୀ ଏହାର ପ୍ରାଦୁର୍ଭାବ ଭୋଗୁଛି ।

ଅକ୍ସିଜେନ୍, ଔଷଧ ଠାରୁ ଆରମ୍ଭ କରି ଟିକା ପର୍ଯ୍ୟନ୍ତ ସବୁକିଛି ଉପଲବ୍ଧ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ମୋଦୀ । ୧୮ ଲକ୍ଷ ଡୋଜ୍ ଟିକା ଦିଆଗଲାଣି, ଯେଉଁମାନଙ୍କ ପାଳି ପଡୁଛି, ସେମାନେ ନିଶ୍ଚିତ ଟିକା ନିଅନ୍ତୁ ବୋଲି ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଗାଁ ଆଡକୁ କରୋନା ମୁହାଁଉଥିବା ବେଳେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ଗ୍ରାମ ପଂଚାୟତ ପ୍ରମୁଖ ଭୂମିକା ନିଅନ୍ତୁ ବୋଲି କହିଛନ୍ତି ମୋଦୀ ।

କରୋନା ଦ୍ୱିତୀୟ ଲହରର ମୁକାବିଲା କିପରି ହେବ, ଏ ନେଇ ରଣନୀତି ପ୍ରସ୍ତୁତ ନକରି ଧାର୍ମିକ ଓ ରାଜନୈତିକ ସମାବେଶ ପାଇଁ ଅନୁମତି ଦେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ବେଶ ସମାଲୋଚିତ ହୋଇଛନ୍ତି ।