କନକ ବ୍ୟୁରୋ : ଯୁଦ୍ଧଭୂମିରୁ ସ୍ୱଦେଶ ଫେରିଲା ପରେ ଆଶ୍ୱସ୍ତ ହୋଇଛନ୍ତି ଡାକ୍ତରୀ ଛାତ୍ର ଓ ତାଙ୍କ ପରିବାର । ଏବେ କିନ୍ତୁ ପୁଣି ପାଠପଢା ଅଧାରେ ଛାଡି ଆସିଥିବାରୁ ଭବିଷ୍ୟତ କଣ ହେବ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ଏହାରି ଭିତରେ କିଛି ଆଶ୍ୱସ୍ତିକର ଖବର ଆସିଛି । ଏହାରି ଭିତରେ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରର ନିଷ୍ପତି ଅନୁସାରେ, ଫରେନ ମେଡିକାଲ ଗ୍ରାଜୁଏଟ ଲାଇସେନ୍ସିଂ ଆକ୍ଟରେ ପରିବର୍ତନ ହେବ । ପରିବର୍ତିତ ନିୟମ ଅନୁସାରେ ବିଦେଶରେ ଇଂଟର୍ଣ୍ଣସିପ ପୂରଣ କରିପାରିନଥିବା ଛାତ୍ରଛାତ୍ରୀ ଭାରତରେ ସେମାନଙ୍କ ଇଂଟର୍ଣ୍ଣସିପ ସଂପୂର୍ଣ୍ଣ କରିପାରିବେ ।
ଯୁଦ୍ଧ ଭୂମିରୁ ଫେରିଆସିଲେ, ତେବେ କ’ଣ ହେବ ସେମାନଙ୍କ ଭବିଷ୍ୟତ । ଏହି ଚିନ୍ତାରେ ପଡ଼ିଛନ୍ତି ୟୁକ୍ରେନରୁ ଫେରି ଆସିଥିବା ମେଡିକାଲ୍ ଛାତ୍ରଛାତ୍ରୀ । ଓଡିଶା ଫେରିବା ପରେ ଆଶ୍ୱସ୍ତ ହେଉଛନ୍ତି, କିନ୍ତୁ ମନରେ ସେହି ଗୋଟିଏ ପ୍ରଶ୍ନ କ’ଣ ହେବ ଭବିଷ୍ୟତ । ୩ ବର୍ଷ ପୂର୍ବରୁ ଡାକ୍ତରୀ ପଢିବା ପାଇଁ ୟୁକ୍ରେନ ଯାଇଥିଲେ ବିଜୟଲକ୍ଷ୍ମୀ । ଡାକ୍ତର ହୋଇ ରୋଗୀ ସେବା କରିବା ପାଇଁ ପିଲାବେଳୁ ଲକ୍ଷ୍ୟ ଥିଲା । ୟୁକ୍ରେନ-ରୁଷ ଯୁଦ୍ଧ ପରେ ସବୁକିଛି ଓଲଟପାଲଟ ହୋଇଯାଇଛି । ଆଉ ଥରେ ୟୁକ୍ରେନ ଛାଡ଼ିବାକୁ ରାଜିନାହାନ୍ତି ଅଭିଭାବକ ।
ନିଟ୍ ପରୀକ୍ଷାରେ ଭଲ ମାର୍କ ରଖି ଉତୀର୍ଣ୍ଣ ହୋଇଥିଲେ ବି ସରକାରୀ ମେଡିକାଲ କଲେଜ ପାଇଁ ରାଙ୍କ ନଥିଲା ଅଦନାନଙ୍କର । ଓଡିଶାର ବେସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପାଠ ବ୍ୟୟବହୁଳ ହୋଇଥିବାରୁ ୟୁକ୍ରେନରେ ଡାକ୍ତରୀ ପଢିବା ପାଇଁ ସ୍ଥିର କରିଥିଲେ ଅଦନାନ୍ । କିନ୍ତୁ ଏବେ ୟୁକ୍ରେନରେ ଘଟୁଥିବା ସ୍ଥିତିକୁ ନେଇ ସେ ବି ଚିନ୍ତାରେ ଅଛନ୍ତି । ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ ସସପେଣ୍ଡ ରହିଛି । ଏହାପରେ ଅନଲାଇନ କ୍ଲାସ ହେବ ବୋଲି ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିବା ଅଦନାନ୍ କହିଛନ୍ତି ।
ଯେଉଁମାନେ ଇଣ୍ଟର୍ନସିପ୍ କରୁଥିଲେ, ଯୁଦ୍ଧ ହେବାରୁ ଅଧାରେ ଛାଡି ଆସିଛନ୍ତି, ସେମାନେ ଭାରତରେ ଇଣ୍ଟର୍ନସିପ୍ କରିପାରିବେ ବୋଲି କହିଛି ନ୍ୟାସନାଲ ମେଡିକାଲ କମିସନ । ଏ ନେଇ ପୂର୍ବରୁ ଥିବା ନିୟମକୁ କୋହଳ କରାଯାଇଛି । ତେବେ ଯେଉଁମାନଙ୍କ ପାଠ ଅଧାରେ ରହିଯାଇଛି, ସେମାନେ କଣ କରିବେ, ଏ ନେଇ କିଛି ପଦକ୍ଷେପ ନିଆଯାଇନି ।
ଭାରତରେ ସରକାରୀ ମେଡିକାଲ କଲେଜରେ ମେଡିକାଲ ସିଟ୍ ସଂଖ୍ୟା କମ । ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଡୋନେସନ୍ ଦେବାକୁ ପଡ଼େ । ତେଣୁ ୟୁକ୍ରେନ୍ ଭଳି ଦେଶରେ ଅପେକ୍ଷାକୃତ କମ୍ ଟଙ୍କାରେ ମେଡିକାଲ ପଢ଼ିବା ପାଇଁ ହଜାର ହଜାର ଭାରତୀୟ ଛାତ୍ର ବିଦେଶ ଯାଇଥାନ୍ତି । ଏହି ସମସ୍ୟା ଦୂର କରିବା ପାଇଁ ସରକାରୀ ସ୍ତରରେ ସିଟ ବୃଦ୍ଧି କରିବାକୁ ଦାବି ହୋଇଥିବାବେଳେ ୟୁକ୍ରେନ ଫେରନ୍ତାଙ୍କ ଭବିଷ୍ୟତ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।