ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ।

191

କନକ ବ୍ୟୁରୋ: ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ମିଳିବ ସହାୟତା । ରିଲିଫ୍ କୋଡ୍ ଅନୁସାରେ ଜ୍ୟୋତିପ୍ରକାଶଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଭୁବନେଶ୍ୱର ନାଳରେ ଭାସିଯାଇଥିବା ଯେଉଁ ଜ୍ୟୋତିପ୍ରକାଶ ପାଇଁ ଓଡ଼ିଶାବାସୀ ପ୍ରାର୍ଥନା କରୁଥିଲେ ସେ ଡାକ ଭଗବାନ ଶୁଣିଲେନି । ମରଣଯନ୍ତା ପାଲଟିଥିବା ମୁକୁଳା ଡ୍ରେନରେ ଚାଲିଯାଇଛି ଜ୍ୟୋତିର ଜୀବନ । ଶେଷରେ ୧୯ ଘଂଟା ଅପରେସନ ପରେ ଆଜି ସକାଳେ ମୃତ ଦେହ ଠାବ କରିଛି ଅଗ୍ନିଶମ ବାହିନୀ । ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପରେ ପୋଷ୍ଟମର୍ଟମ ପାଇଁ ଭୁବନେଶ୍ୱରର ଏମ୍ସ ହସ୍ପିଟାଲକୁ ନିଆଯାଇଛି ।

ଅନ୍ୟପଟେ ଉଦ୍ଧାର ମୃତ ଦେହକୁ ଦେଖି ପରିବାର ଲୋକ ଚିହ୍ନିଛନ୍ତି କିନ୍ତୁ ଜନ୍ମ କରିଥିବା ମା’ ଆଉ ନିଜକୁ ସମ୍ଭାଳି ପାରୁନି । କେମିତି ବା ସମ୍ଭାଳିବ, ଯେଉଁ ହାତରେ ଦିନକ ପୂର୍ବରୁ ଖୁଆଇ ଦେଉଥିଲେ ସେ ହାତରେ ତା’ ମୃତ ଦେହକୁ କେମିତି ଧରିବ ଜଣେ ମା? ଆଖିରେ ଧାର ଧାର ଲୁହକୁ ଚାପି ଛାତିପିଟି କାନ୍ଦୁଛନ୍ତି ପରିବାର ଲୋକେ । ଏମିତିକି ପୁଅର ମୃତଦେହକୁ ଦେଖି ବାରମ୍ବାର ହସ୍ପିଟାଲରେ ଅଚେତ୍ ହୋଇଯାଉଛନ୍ତି ଜ୍ୟୋତିଙ୍କ ମା’ ।

ତେବେ ଗତକାଲି ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡ଼ିବା ପରେ ଟ୍ୟୁସନ ପାଇଁ ବାହାରିଥିଲେ ଜ୍ୟୋତିପ୍ରକାଶ । ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ ଯିବାକୁ ବାରଣ କରିଥିଲେ । କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରି ଆସିବେ ବୋଲି କହିଥିଲେ ଜ୍ୟୋତି ପ୍ରକାଶ । ମାତ୍ର ବାଟରେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଥିଲା ବୋଲି ଜାଣିନଥିଲେ ଜ୍ୟୋତି । ଶେଷରେ ସେହି ମୁକୁଳା ଡ୍ରେନ୍ ତାଙ୍କ ମୃତ୍ୟୁର କାରଣ ପାଲଟିଲା ।