କନକ ବ୍ୟୁରୋ: ପାଠ ପଢା ହାତ ଆଉ ଧାନ କାଟିବନି କି ଗରିବିର ଗୋଡ ବିଲକୁ ଧାଇଁଯିବନି । ଯେଉଁ ସ୍ୱପ୍ନ ନେଇ, ଯେଉଁ ଇଚ୍ଛା ନେଇ ଇଫୁ ଆଗକୁ ବଢୁଥିଲେ ସେ କେବଳ ସେହି ରାସ୍ତାରେ ହିଁ ଆଗେଇବେ । ଭଲ ଡାକ୍ତର ହୋଇ ସମାଜର ସେବା କରିବେ । ଘରର ପରିସ୍ଥିତି ପାଇଁ ଆଉ ତାଙ୍କୁ ଶ୍ରମିକ ହୋଇ ଖଟିବାକୁ ପଡିବ ନାହିଁ । କାରଣ ଅସହାୟ ଆଦିବାସୀ ଛାତ୍ରଙ୍କ ଡେଣାରେ ଉଡାଣ ଭରିଛନ୍ତି ରାଜ୍ୟ ସରକାର । ଇଫୁଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

publive-image

ତେବେ କନ୍ଧମାଳ ବାଲିଗୁଡା ବାଗ୍ରାମିଲା ଗାଁର ଆଦିବାସୀ ଛାତ୍ର ଇଫୁ ମଲ୍ଲିକ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଡାକ୍ତରୀ ପାଠ ପଢିବାକୁ ଅର୍ଥ ବାଧକ ସାଜିଥିଲା । ଇଫୁଙ୍କ ସଙ୍ଘର୍ଷର କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଆଉ ଖବର ବାଜିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଦିଆଯାଇଛି । ରାଜ୍ୟ ଏସସି, ଏସଟି ବିକାଶ ପକ୍ଷରୁ ଏହି ଆର୍ଥିକ ସହାୟତା ଦିଆଯାଇଛି । ଇଫୁଙ୍କ ନାମଲେଖା ପାଇଁ ୬୨ ହଜାର ୯୫୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଏଥିସହ ପାଠପଢାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଫୁଙ୍କୁ ନିମନ୍ତ୍ରଣ ଦିଆଯାଇଛି । ତେବେ ଶେଷ କିଷାନଙ୍କୁ ମଧ୍ୟ ରାଜ୍ୟ ସରକାର ଏମିତି ସାହାଯ୍ୟ କରିଥିଲେ । ଗରିବ ଘରର ପିଲାଙ୍କୁ ପଢାଇବାରେ ସହାୟତା ଦେବା ପରେ ଶେଷ କିଷାନ ଯୁବ ବୈଜ୍ଞାନିକ ହୋଇପାରିଛନ୍ତି ।