କନକ ବ୍ୟୁରୋ : ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ବତ୍ରା ହସ୍ପିଟାଲରେ ଏବେ ବି ଅକ୍ସିଜେନର ଘୋର ଅଭାବ ରହିଛି ।
ଅକ୍ସିଜେନ ଅଭାବକୁ ନେଇ ଦିଲ୍ଲୀ ହାଇକୋର୍ଟରେ ପହଂଚିଛି ଗୋଲ୍ଡେନ ହସ୍ପିଟାଲ । ଗଙ୍ଗାରାମ ହସ୍ପିଟାଲରେ ମାତ୍ର ୧ ଘଂଟା ପାଇଁ ଅକ୍ସିଜେନ ଉପଲବ୍ଧ ଥିବା କୁହାଯାଇଛି । କରୋନା ଆକ୍ରାନ୍ତଙ୍କୁ ସଂଜୀବନୀ ଯୋଗାଉଥିବା ଅକ୍ସିଜେନର ଅଭାବକୁ ନେଇ ରାଜନୀତି ବି ତେଜିଛି । ଏଆଇଏମଆଇଏମ ମୁଖ୍ୟ ବିଜେପି ଉପରେ ବର୍ଷିଛନ୍ତି । କରୋନା ମହାମାରୀର ଦ୍ୱିତୀୟ ଲହରକୁ ମୁକାବିଲା କରିବାରେ କେନ୍ଦ୍ର ସରକାର ଫେଲ ମାରିଥିବା ସେ ଅଭିଯୋଗ କରିଛନ୍ତି ।
ସେପଟେ ଦିଲ୍ଲୀର ବତ୍ରା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି ଏଠାରେ ଆଜି ସକାଳ ୭ଟାରେ ଅକ୍ସିଜେନ୍ ଶେଷ ହୋଇଯାଇଥିଲା । ଆକ୍ରାନ୍ତଙ୍କ ପାଇଁ ଦୈନିକ ପ୍ରାୟ ୭ ହଜାର ଲିଟର ଅକ୍ସିଜେନ୍ ଦରକାର ପଡୁଥିବାବେଳେ ମାତ୍ର ୫ଶହ ଲିଟର ଅକ୍ସିଜେନ୍ ପହଂଚିଛି । ହସ୍ପିଟାଲରେ ୩ଶହ ରୋଗୀ ଭର୍ତି ହୋଇଥିବାବେଳେ ୪୮ ଜଣ ଆଇସିୟୁରେ ଅଛନ୍ତି । ତେଣୁ ଯାହା ଅକ୍ସିଜେନ ଆସିଛି ତାହା କେବଳ ୧ ଘଂଟା ଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତୃପକ୍ଷ ।