କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ଭାରତରେ ୪୧ ଲକ୍ଷ ଯୁବକଯୁବତୀ କାମଧନ୍ଦା ହରାଇଛନ୍ତି । ନିର୍ମାଣ ଓ କୃଷି କ୍ଷେତ୍ରରେ କାମ କରୁଥିବା ଲୋକେ ଏଥିଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆନ୍ତର୍ଜାତିକ ଶ୍ରମ ସଂଗଠ ଓ ଏସୀୟ ବିକାଶ ବ୍ୟାଙ୍କ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏଭଳି ଉଦ୍ବେଗଜନକ ତଥ୍ୟ ପ୍ରକାଶ କରାଯାଇଛି। ସେହିପରି ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ୍ଇକୋନମି ଏହାର ରିପୋର୍ଟରେ ଜଣାଇଛି ଯେ ଗତ ଜୁଲାଇରେ ୫୦ ଲକ୍ଷ ବେତନଭୋଗୀ ଚାକିରି ହରାଇଛନ୍ତି। ଆଇଏଲ୍ଓ-ଏଡିିବ ରିପୋର୍ଟ ଅନୁଯାୟୀ ନିର୍ମାଣ ଓ କୃଷି କ୍ଷେତ୍ରରେ କାମ କରୁଥବା ଲୋକମାନେ ଅଧିକ ବେକାର ହୋଇଛନ୍ତି। ସାତଟି ପ୍ରମୁଖ କ୍ଷେତ୍ରରେ ବେକାରି ସମସ୍ୟା ବଢ଼ିଛି। କରୋନା ମହାମାରୀ ପ୍ରଭାବରେ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାସ କରୁଥିବା ଯୁବକଯୁବତୀମାନଙ୍କ ନିଯୁକ୍ତି ସମ୍ଭାବନା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପନ୍ଦରରୁ ୨୪ ବର୍ଷ ବୟସର ଯୁବକଯୁବତୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ପଚିଶ ବର୍ଷରୁ ଅଧିକ ବୟସର ଯୁବପିଢ଼ି ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଦେଶର ବେକାରି ତଥ୍ୟ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
କରୋନା ମହାମାରୀ ପ୍ରଭାବରେ ତିନି ପ୍ରକାରରେ ଯୁବପିଢ଼ି ପ୍ରଭାବିତ ହୋଇଛନ୍ତି। କାର୍ଯ୍ୟ କରିବା ସମୟ ହ୍ରାସ ପାଇବା ସହ ଆୟ ହ୍ରାସ ପାଇଛି। ବେତନ ପାଉଥିବା ଶ୍ରମିକ ଏବଂ ସ୍ବାବଲମ୍ବୀ ଥିବା ଯୁବକଯୁବତୀମାନେ ଜୀବିକା ହରାଇଛନ୍ତି। ଅଧିକାଂଶ ଯୁବକଯୁବତୀଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭାରତରେ ଦୁଇ ତୃତୀୟାଂଶ ସଂସ୍ଥା ସ୍ତରୀୟ ଆପ୍ରେଣ୍ଟିସ୍ସିପ୍ ପ୍ରଭାବିତ ହୋଇଛି। ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ପାଠପଢ଼ା ଓ ପ୍ରଶିକ୍ଷଣ ଜାରି ରଖିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଏହି ରିପୋର୍ଟରେ ବିଭିନ୍ନ ଦେଶର ସରକାରଙ୍କୁ ଆହ୍ବାନ ଦିଆଯାଇଛି।
Follow Us