କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ଭାରତରେ ୪୧ ଲକ୍ଷ ଯୁବକଯୁବତୀ କାମଧନ୍ଦା ହରାଇଛନ୍ତି । ନିର୍ମାଣ ଓ କୃଷି କ୍ଷେତ୍ରରେ କାମ କରୁଥିବା ଲୋକେ ଏଥିଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆନ୍ତର୍ଜାତିକ ଶ୍ରମ ସଂଗଠ ଓ ଏସୀୟ ବିକାଶ ବ୍ୟାଙ୍କ  ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଏଭଳି ଉଦ୍‌ବେଗଜନକ ତଥ୍ୟ ପ୍ରକାଶ କରାଯାଇଛି। ସେହିପରି ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ଇକୋନମି ଏହାର ରିପୋର୍ଟରେ ଜଣାଇଛି ଯେ ଗତ ଜୁଲାଇରେ ୫୦ ଲକ୍ଷ ବେ‌ତନଭୋଗୀ ଚାକିରି ହରାଇଛନ୍ତି। ଆଇଏଲ୍‌ଓ-ଏଡିିବ ରିପୋର୍ଟ ଅନୁଯାୟୀ ନିର୍ମାଣ ଓ କୃଷି କ୍ଷେତ୍ରରେ କାମ କରୁଥବା ଲୋକମାନେ ଅଧିକ ବେକାର ହୋଇଛନ୍ତି। ସାତଟି ପ୍ରମୁଖ କ୍ଷେତ୍ରରେ ବେକାରି ସମସ୍ୟା ବଢ଼ିଛି। କରୋନା ମହାମାରୀ ପ୍ରଭାବରେ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାସ କରୁଥିବା ଯୁବକଯୁବତୀମାନଙ୍କ ନିଯୁକ୍ତି ସମ୍ଭାବନା ଗୁରୁତର ଭାବେ ପ୍ରଭାବିତ ହୋଇଛି। ପନ୍ଦରରୁ ୨୪ ବର୍ଷ ବୟସର ଯୁବକଯୁବତୀମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ପଚିଶ ବର୍ଷରୁ ଅଧିକ ବୟସର ଯୁବପିଢ଼ି ‌‌ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଦେଶର ବେକାରି ତଥ୍ୟ ବିଚାରକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।

Advertisment

କରୋନା ମହାମାରୀ ପ୍ରଭାବରେ ତିନି ପ୍ରକାରରେ ଯୁବପିଢ଼ି ପ୍ରଭାବିତ ହୋଇଛନ୍ତି। କାର୍ଯ୍ୟ କରିବା ସମୟ ହ୍ରାସ ପାଇବା ସହ ଆୟ ହ୍ରାସ ପାଇଛି। ବେତନ ପାଉଥିବା ଶ୍ରମିକ ଏବଂ ସ୍ବାବଲମ୍ବୀ ଥିବା ଯୁବକଯୁବତୀମାନେ ଜୀବିକା ହରାଇଛନ୍ତି। ଅଧିକାଂଶ ଯୁବକଯୁବତୀଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଭାରତରେ ଦୁଇ ତୃତୀୟାଂଶ ସଂସ୍ଥା ସ୍ତରୀୟ ଆପ୍ରେଣ୍ଟିସ୍‌ସିପ୍ ପ୍ରଭାବିତ ହୋଇଛି। ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ପାଠପଢ଼ା ଓ ପ୍ରଶିକ୍ଷଣ ଜାରି ରଖିବା ଲାଗି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଏହି ରିପୋର୍ଟରେ ବିଭିନ୍ନ ଦେଶର ସରକାରଙ୍କୁ ଆହ୍ବାନ ଦିଆଯାଇଛି।

ସେହିପରି, ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ ଗତ ଜୁଲାଇରେ ୫୦ ଲକ୍ଷ ବେ‌ତନଭୋଗୀ ଚାକିରି ହରାଇଛନ୍ତି। ଏପ୍ରିଲ୍‌ରେ ୧.୭ କୋଟି ଲୋକ ଚାକିରି ହରାଇଥିବା ବେଳେ ମେ’ ମାସରେ ଆଉ ୧୦ ଲକ୍ଷ ଲୋକ ବେକାର ହୋଇଥିଲେ। ଜୁନ୍ ମାସରେ ସ୍ଥିତି ସୁଧୁରିଥିଲା। ପ୍ରାୟ ୩୯ ଲକ୍ଷ ଲୋକଙ୍କୁ କାମଧନ୍ଦା ମିଳିଥିଲା। କିନ୍ତୁ ଜୁଲାଇରେ ସ୍ଥିତି ପୁଣି ଖରାପ ହୋଇଛି। ଲକ୍‌ଡାଉନ୍ ଆରମ୍ଭ ହେବା ଦିନଠାରୁ ବେତନଭୋଗୀ ଲୋକଙ୍କ ସମସ୍ୟା ବଢ଼ିଯାଇଛି। ଅଧିକରୁ ଅଧିକ ବେତନଭୋଗୀ ବେକାର ହେବା ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସିଏମ୍ଆଇଇ ରିପୋର୍ଟରେ କୁହାଯାଇଛି। ସାଧାରଣତଃ, ବେତନ ପାଉଥିବା ଲୋକମାନେ ସହଜରେ ଚାକିରିରୁ ବିଦା ହୋଇନଥାନ୍ତି। କିନ୍ତୁ ଥରେ ଯଦି ସେମାନେ ଚାକିରି ହରାନ୍ତି ପୁଣି ଆଉ ଗୋଟେ ଚାକିରି ପାଇବା ସେମାନଙ୍କ ପାଇଁ ବହୁତ କଷ୍ଟକର ହୋଇପଡ଼େ। ଦେଶରେ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିବା ମାତ୍ର ୨୧ ପ୍ରତିଶତ ଲୋକ ହେଉଛନ୍ତି ବେତନଭୋଗୀ।

ଏପ୍ରିଲ୍‌ରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପାଇଁ କ୍ଷୁଦ୍ର ବ୍ୟବସାୟୀ, ହକର ଓ ‌ଦିନ ମଜୁରିଆମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଜୁନ୍ ପରଠାରୁ ଧୀରେ ଧୀରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେବା ସହ ନିଯୁକ୍ତି ସ୍ଥିତିରେ ମଧ୍ୟ ସୁଧାର ହେଉଛି। କିନ୍ତୁ ଅଧିକାଂଶ ସୁଧାର ଅଣସଂଗଠିତ କ୍ଷେତ୍ରରେ ଦେଖିବାକୁ ମିଳୁଛି। ସଂଗଠିତ କ୍ଷେତ୍ରର ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ।