ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ବଢ଼ିବାରେ ଲାଗିଛି ମହୁଆଙ୍କ ସମସ୍ୟା, ସଦସ୍ୟତା ରଦ୍ଦ ନେଇ ଏଥିକ୍ସ କମିଟିର ସୁପାରିସ

184

କନକ ବ୍ୟୁରୋ: ବଢ଼ିବାରେ ଲାଗିଛି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ଲୋକସଭା ଏଥିକ୍ସ କମିଟି ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିଛି । ଗୁରୁବାର ବସିଥିବା ଏଥିକ୍ସ କମିଟି ବୈଠକରେ ବି ଯୋଗ ଦେଇ ନାହାଁନ୍ତି ମହୁଆ । ସଂସଦରେ ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ତାଙ୍କ ବିରୋଧରେ ଚାଲିଛି ତଦନ୍ତ । ସେପଟେ ଟିଏମ୍ସି ନେତା ଅଭିଷେକ ବାନାର୍ଜୀ କହିଛନ୍ତି ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ମହୁଆ ।

ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପାଇଁ ବଢିଲା ଅଡୁଆ । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ମହୁଆ ମୋଇତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ସଦାଚାର କମିଟି ସୁପାରିସ କରିଛି । ଏହି ଅଭିଯୋଗର ତଦନ୍ତ ଓ ଜେରା ପ୍ରକ୍ରିୟା ପରେ ସଦାଚାର କମିଟି ୫ ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ମହୁଆଙ୍କ କାମକୁ ଘୋର ଆପତିଜନକ, ଅନୈତିକ ଏବଂ ଅପରାଧିକ ବୋଲି ବର୍ଣ୍ଣନା କରାଯାଇଛି । ଏହା ସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ୍ ବୋଲି କମିଟି କହିଛି । ଏହା ପୂର୍ବରୁ ମହୁଆ ସଂସଦର ଏଥିକ୍ସ କମିଟି ନିକଟରେ ହାଜର ହୋଇଥିଲେ ମଧ୍ୟ ଅଶାଳୀନ ପ୍ରଶ୍ନ ପଚାରାଯିବା ଅଭିଯୋଗ ଆଣି ଅଧାରୁ ଉଠି ଆସିଥିଲେ । ଗୁରୁବାର ଏଥିକ୍ସ କମିଟିର ତୃତୀୟ ବୈଠକ ବସିଛି ।

ସଦାଚାର କମିଟିର ଏହି ପଦକ୍ଷେପ ମହୁଆଙ୍କ ପାଇଁ ଅଡୁଆ ବଢାଇଛି । ସେପଟେ ମହୁଆ ମୋଇତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦରନୀଙ୍କ ଠାରୁ ଟଙ୍କା ନେଇ ମହୁଆ ସଂସଦରେ ଆଦାନି ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ଆଣିଥିଲେ ନିଶିକାନ୍ତ । ଏନେଇ ସଂସଦର ଏଥିକ୍ସ କମିଟି ମହୁଆଙ୍କୁ ଜେରା କରିବା ପରେ ଏବେ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସଭା ସଂସଦୀୟ ଲଗଇନ ସେୟାର କରି ମହୁଆ ଜାତୀୟ ନିରାପତା ସହ ବୁଝମଣା କରିଛନ୍ତି । ଲୋକପାଳ ମାମଲାକୁ ଗମ୍ଭୀରତାର ସହ ନେଇ ସିବିଆଇ ଯାଂଚ ନିର୍ଦ୍ଦେଶ ଦେଇଥିବା ବେଳେ ମହୁଆଙ୍କୁ ତୁରନ୍ତ ସଂସଦରୁ ନିଲମ୍ବନ କରିବାକୁ ନିଶିକାନ୍ତ ଦାବି କରିଛନ୍ତି ।

ସେପଟେ ମହୁଆଙ୍କ ସପକ୍ଷରେ ବାହାରିଛନ୍ତି, ତୃଣମୂଳ କଂଗ୍ରେସର ସାଧାରଣ ସଭାପତି ଅଭିଷେକ ବାନାର୍ଜୀ । ଅଭିଷେକ କହିଛନ୍ତି, ମହୁଆ ରାଜନୀତିର ହୀନ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ମୁଁ ଏଥିକ୍ସ କମିଟିର ରିପୋର୍ଟ ପଢିଛି । ସେଥିରେ ଉଲ୍ଲେଖ ହୋଇଛି, ମହୁଆଙ୍କ ବିରୋଧରେ ତଦନ୍ତ ହେବା ଉଚିତ୍ । ତେବେ ବିନା ତଦନ୍ତରେ ତାଙ୍କ ସଦସ୍ୟତା ରଦ୍ଦ ନେଇ କିଭଳି ସୁପାରିସ କଲା କମିଟି? ମହୁଆ ଜଣେ ପ୍ରଭାବଶାଳୀ ଆଉ ଦକ୍ଷ ରାଜନେତା । ମୋର ବିଶ୍ୱାସ ଏ ଲଢେଇରେ ତାଙ୍କର ବିଜୟ ନିଶ୍ଚୟ ହେବ ।

ଗୌତମ ଅଦାନୀ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ଲାଂଚ ନେଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ସେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ସହ ଲୋକସଭା ୱେବସାଇଟ୍ର ନିଜ ଲଗ୍ଇନ୍ ଆଇଡି ଓ ପାସୱାର୍ଡ ସେୟାର କରିଥିଲେ । ଏଥିପାଇଁ ମହୁଆ ମୋଟା ଅଙ୍କର ଲାଂଚ ନେଇଥିବା ଅଭିଯୋଗ କରିଥିଲେ ନିଶିକାନ୍ତ ଦୁବେ । ତେବେ ଲଗ୍ଇନ୍ ଆଇଡି ଓ ପାସୱାର୍ଡ ସେୟାର କଥାକୁ ମହୁଆ ସ୍ୱୀକାର କରିଥିବାବେଳେ ଲାଂଚ ନେବା କଥାକୁ ଏଡାଇ ଆସୁଛନ୍ତି ।