ଆଫଗାନିସ୍ତାନରେ ସଙ୍କଟ ନେଇ ଚିନ୍ତା ପ୍ରକଟ କଲା ଭାରତ : ବୈଦେଶିକ ବ୍ୟାପର ମନ୍ତ୍ରଣାଳୟର ବୟାନ, ଭାରତୀୟଙ୍କ ସୁରକ୍ଷା ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ

177

କନକ ବ୍ୟୁରୋ : ଆଫଗାନିସ୍ତାନରେ ବଡ଼ ଧରଣର ସଂକଟ ସୃଷ୍ଟି ହୋଇଥିବା ବେଳେ ଭାରତର ଚିନ୍ତା ବଢ଼ିଯାଇଛି । କାରଣ ଏବେ ବି ଅନେକ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି । ତେଣୁ ବଦଳୁଥିବା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନରେ ଥିବା ଭାରତର ନାଗରିକଙ୍କ ସୁରକ୍ଷା ଏବଂ ସୁରକ୍ଷିତ ଭାବେ ସେମାନଙ୍କୁ ଫେରାଇ ଆଣିବା ଆମର ପ୍ରାଥମିକତା ରହିଛି ।

ସ୍ୱଦେଶକୁ ଫେରିଆସିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ସହ ଯୋଗାଯୋଗ ରଖାଯାଇଛି । ବିମାନବନ୍ଦରକୁ ବନ୍ଦ କରିଦିଆଯିବାରୁ ଭାରତୀୟଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । କେତେବେଳେ ଏହି ପ୍ରକ୍ରିୟା ଆରମ୍ଭ ହେବ, ତାକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ । ଅନ୍ୟପଟେ ଆଫଗାନିସ୍ତାନରେ ଥିବା ହିନ୍ଦୁ ଓ ଶିଖ ସଂପ୍ରଦାୟର ପ୍ରତିନିଧିମାନଙ୍କ ସହ ଯୋଗାଯୋଗରେ ରହିଛି ଭାରତ । ସେମାନେ ଚାହିଁଲେ ଭାରତ ଆସିପାରିବେ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।