କନକ ବ୍ୟୁରୋ : ପୁଣି ଗଙ୍ଗାରେ ଭାସିଲା ଶବ, ପଦାକୁ ଦେଖାଗଲା ନଦୀ ପଠାରେ ପୋତା ଯାଇଥିବା ମୃତଦେହ । ଉତରପ୍ରଦେଶରୁ ଆସିଛି ଏଭଳି ଉଦବେଗଜନକ ଚିତ୍ର । ପ୍ରାୟ ମାସେ ତଳେ ଉତର ପ୍ରଦେଶ ଗଙ୍ଗାରେ କରୋନା ଆକ୍ରାନ୍ତଙ୍କ ମୃତ ଦେହ ଭାସିବା ଓ ବାଲିରେ ପୋତା ଯାଇଥିବାର ଚିତ୍ରସବୁ ସାମ୍ନାକୁ ଆସିବା ପରେ ଚାରିଆଡୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ସରକାର ଓ ପ୍ରଶାସନ କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ ଉଠିଥିଲା । ଏବେ ପୁଣି ସମାନ ଚିତ୍ର ଦେଖିବାକୁ ମିଳିଛି ।

Advertisment

କୁହାଯାଉଛି, ବର୍ଷା ଆସିବା ପରେ ଗଙ୍ଗାରେ ଜଳସ୍ତର ବଢିବାରୁ ନଦୀ ପଠାରେ ପୋତା ଯାଇଥିବା ଶବସବୁ ଭାସିବାରେ ଲାଗିଛି । ତେବେ ତୁରନ୍ତ ଏସବୁ ମୃତଦେହକୁ ସଂସ୍କାର କରିବାରେ ଲାଗିଛନ୍ତି ସ୍ଥାନୀୟ ପ୍ରଶାସନ । ନଦୀରେ ଭାସୁଥିବା ଶବକୁ ପାଣିରୁ ଛାଣି ଦାହ କରୁଛନ୍ତି ଉତର ପ୍ରଦେଶ ପ୍ରଶାସନ । ଉତର ପ୍ରଦେଶ ପ୍ରୟାଗରାଜ ଘାଟରେ ଏକ ଶବ ଭାସୁଥିବାବେଳେ ଏହାର ଗୋଟିଏ ହାତରେ ସର୍ଜିକାଲ ଗ୍ଲୋବ୍ସ ଲାଗିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟ ଏକ ଘାଟରେ ଲାଗିଥିବା ଦୁଇଟି ଶବକୁ ପାଣିରୁ କାଢି ସଂସ୍କାର କରିଛି ପ୍ରୟାଗରାଜ ମ୍ୟୁନିସିପାଲ କର୍ପୋରେସନ୍ । ଗୋଟିଏ ମୃତଦେହରେ ଅକ୍ସିଜେନ୍ ଟ୍ୟୁବ ଲାଗଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ ୨୪ ଘଂଟାରେ ୪୦ଟି ଶବଦାହ କରିଥିବା ସୂଚନା ଦେଇଛନ୍ତି ଜଣେ ପୌରପାଳିକା ଅଧିକାରୀ ।