ପ୍ରତିବର୍ଷ ଭଳି ଯବାନଙ୍କ ସହ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ । ପାକିସ୍ତାନ ଓ ଚୀନକୁ ଦେଲେ କଡା ଚେତାବନୀ

131

କନକ ବ୍ୟୁରୋ : ଦୀପାବଳି ଅବସରରେ ସୀମାରେ ସୈନିକଙ୍କ ମନୋବଳ ବଢାଇବାକୁ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରତିବର୍ଷ ପରି ଏଥର ମଧ୍ୟ ଯବାନଙ୍କ ଗହଣରେ ମୋଦି ପହଂଚିଥିବାବେଳେ ଭାରତୀୟ ସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି । ଜୈଶେଲମେରର ଲଙ୍ଗେୱାଲା ପୋଷ୍ଟରେ ମୋଦି କିଛିକ୍ଷଣ ବିତାଇବା ଭିତରେ ଭାରତୀୟ ଯବାନଙ୍କ ବଳିଦାନ, ଦେଶକୁ ସେବା ଓ ଶୃଙ୍ଖଳା ଶିଖାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
ସବୁଠାରୁ ବଡକଥା ହେଉଛି ଏହି ଅବସରରେ ମୋଦି ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧକୁ ମନେ ପକାଇଛନ୍ତି । ପାକିସ୍ତାନ-ବାଂଲାଦେଶ ବିଭାଜନ ସମୟରେ କିଭଳି ବିଶ୍ୱର ଦୃଷ୍ଟି ହଟାଇବାକୁ ପାକିସ୍ତାନ ସେନା ଭାରତର ପଶ୍ଚିମ ପଟରେ ମୋର୍ଚ୍ଚା ବାନ୍ଧିଥିଲା ଏବଂ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା, ସେହି କଥା ଉଠାଇ ସୀମାରେ ଅଶାନ୍ତି ସୃଷ୍ଟି କରୁଥିବା ପଡୋଶୀକୁ କଡା ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତ ସଂଗଠିତ ସୈନ୍ୟ ଶକ୍ତି ଆଗରେ ଯେକୌଣସି ଶତ୍ରୁ ତିଷ୍ଠି ପାରିବ ନାହିଁ ବୋଲି କହିଛନ୍ତି ମୋଦି । ଦେଶର ସାମରିକ ଶକ୍ତି ସାଙ୍ଗକୁ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଏବେ ଶତ୍ରୁ ମୁକାବିଲାର ତରିକା ବଦଳିଛି । ଶତ୍ରୁ ରାଷ୍ଟ୍ରରେ ପଶି ଭାରତ ବିରୋଧୀ ତତ୍ୱଙ୍କୁ ହତ୍ୟା କରିବାରେ ସମର୍ଥ ହୋଇଛି ସେନା ।

ଆତଙ୍କବାଦକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମୋଦି କଡା ଚେତାବନୀ ଦେଇଛନ୍ତି । ଆଜି ବିଶ୍ୱ ମଧ୍ୟ ଜାଣିସାରିଛି ଯେ, ଭାରତ ତର ହିତର ସୁରକ୍ଷା କରିବାକୁ ସମର୍ଥ । ଦେଶର ସୀମାକୁ ସଦାସର୍ବଦା ସୁରକ୍ଷା ଯୋଗାଉଥିବା ଯବାନଙ୍କ ପାଇଁ ହିଁ ଭାରତକୁ ଏହି ମର୍ଯ୍ୟାଦା ମିଳିଛି । ପାକିସ୍ତାନ ସହିତ ଚୀନକୁ ମଧ୍ୟ ଚେତାବନୀ ଦେଇ ମୋଦି କହିଛନ୍ତି, ଆମକୁ ଉସୁକାଇଲେ ପ୍ରଚଣ୍ଡ ପରିଣାମ ଭୋଗିବ ।

ମୋଦି କହିଛନ୍ତି ଭାରତ ଅନ୍ୟମାନଙ୍କ ନୀତିକୁ ବୁଝେ ଓ ସେମାନଙ୍କୁ ବୁଝାଇବା ମଧ୍ୟ ଜାଣେ । କିନ୍ତୁ ଏହାକୁ ପରୀକ୍ଷା କଲେ ଭାରତ ଦୃଢତାର ସହ ଜବାବ ଦେବା ବି ଜାଣେ । କିଛି ରାଷ୍ଟ୍ରଙ୍କ ବିସ୍ତାରବାଦ ନୀତିକୁ ପୁରା ବିଶ୍ୱ ଜାଣି ସାରିଲାଣି ବୋଲି ମୋଦି କହିଛନ୍ତି । ଭାରତ ନିଜର ସାର୍ବଭୌମତ୍ୱକୁ ରକ୍ଷା କରିବା ସହ ଏଭଲି ବିସ୍ତାରବାଦୀ ଚିନ୍ତାଧାରାକୁ ଦୃଢ ନିନ୍ଦା କରେ ।

୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତିବର୍ଷ ମୋଦି ଦୀପାବଳି ସେନାର ବୀର ଯବାନମାନଙ୍କ ସହିତ ହିଁ ପାଳନ କରିଆସୁଛନ୍ତି । ସେମାନଙ୍କ ମନୋବଳ ବଢାଇବା ସହ ପୁରା ଦେଶ ସେମାନଙ୍କ ଛିଡା ହୋଇଥିବା ବର୍ତା ଦେଉଛନ୍ତି । ମିଠା ଖୁଆଇ ୧୩୦ କୋଟି ଦେଶବାସୀଙ୍କ ଶୁଭକାମନା ସବୁବେଳେ ସେମାନଙ୍କ ସହିତ ରହିଆସିଥିବା ଆଶ୍ୱାସନା ଦେଇଥାନ୍ତି ।