ଦିଲ୍ଲୀ ହସ୍ପିଟାଲରେ ଅକ୍ସିଜେନ ପାଇଁ ହାହାକାର : ରାଜୀବ ଗାନ୍ଧୀ ହସ୍ପିଟାଲରେ ୨ ଘଂଟାରେ ଶେଷ ହୋଇଯିବ ଅମ୍ଲଜାନ

ଗଙ୍ଗାରାମ୍, ସରୋଜ ଏକାଧିକ ମେଡିକାଲରେ ସ୍ଥିତି ସଂକଟଜନକ

111

କନକ ବ୍ୟୁରୋ : ମହାମାରୀ କରୋନା ଯୋଗୁଁ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଆଜି ବି ୨୫ ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଅମ୍ଳଜାନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହ ପ୍ରତ୍ୟକ ଦିନ ୨ଶହରୁ ଅଢ଼େଇ ଶହ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ଏସବୁ ଭିତରେ ବିଭିନ୍ନ ହସ୍ପିଟାଲରେ ବେଡ୍ ଅଭାବ ସହ ଅମ୍ଳଜାନର ଅଭାବ ଅନୁଭୂତ ହେଉଛି ।

ପରିସ୍ଥିତି ଏମିତି ହୋଇଛି ଏକାଧିକ ହସ୍ପିଟାଲ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅମ୍ଳଜାନ ଯୋଗାଇ ଦେବାକୁ ସଂଘର୍ଷ କରୁଛନ୍ତି । ଏପରିକି କେତେକ ହସ୍ପିଟାଲରେ ମାତ୍ର ଅଳ୍ପ କିଛି ଅମ୍ଳଜାନ ଗଛିତ ରହିଥିବା କର୍ତୁପକ୍ଷଙ୍କ ପକ୍ଷରୁ କୁହାଯାଇଛି । କର୍ତୁପକ୍ଷଙ୍କ କହିବା ଅନୁସାରେ ଅକ୍ସିଜେନ ଯୋଗାଇ ନଦେଲେ ମାତ୍ର କିଛି ଘଂଟାରେ ସେମାନଙ୍କ ନିକଟରେ ଥିବା ଅମ୍ଳଜାନ ଶେଷ ହୋଇଯିବ । ସୂଚନା ଅନୂୁସାରେ ରୋହିଣୀ ଅଂଚଳରେ ଥିବା ସରୋଜ ହସ୍ପିଟାଲରେ ଆଉ ମାତ୍ର କିଛି ଘଂଟାରେ ଅମ୍ଳଜାନ ଶେଷ ହୋଇଯିବ । ଯେଉଁ ଭେଣ୍ଡର ଅମ୍ଳଜାନ ଯୋଗାଇଥାଏ, ସେ ଗତ ରାତିରୁ ଫୋନ ଉଠାଉନାହିଁ ।

ଏହି ହସ୍ପିଟାଲରେ ଦୈନିକ ୨୭୦୦ କ୍ୟୁବିକ୍ ମିଟର ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଏଠାରେ ୧୩୦ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟୀ ହସ୍ପିଟାଲରେ ମାତ୍ର ୨ ଘଂଟା ପାଇଁ ଅମ୍ଳଜାନ ଗଛିତ ରହିଛି । ଏଠାରେ ଦୈନିକ ୫ ରୁ ୬ଟନ୍ ଅମ୍ଳଜାନ ଆବଶ୍ୟକ ହୋଇଥାଏ । ଏଠାରେ ପାଖାପାଖି ୯ଶହ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ସାର ଗଙ୍ଗାରାମ ହସ୍ପିଟାଲରେ ମାତ୍ର ୮ହଜାର ୮ଶହ କ୍ୟୁବିକ୍ ମିଟର ଅମ୍ଳଜାନ ରହିଛି । ଯାହାକି ଆସନ୍ତାକାଲି ଶେଷ ହୋଇଯିବ ।

କେବଳ ଏହି ହସ୍ପିଟାଲ ନୂୁହେଁ ଦିଲ୍ଲୀର ଏକାଧିକ ହସ୍ପିଟାଲରେ ଅମ୍ଳଜାନ ସଂକଟ ଦେଖାଦେଇଛି । କୁହାଯାଉଛି ସଂକ୍ରମଣ ବଢ଼ିବା ଯୋଗୁଁ ଦିଲ୍ଲୀରେ ପୂର୍ବ ଅପେକ୍ଷା ପ୍ରାୟ ୬ଶହ ଗୁଣ ଅମ୍ଳଜାନ ଚାହିଦା ବଢ଼ି ଯାଇଛି । ଅନ୍ୟପଟେ ଅମ୍ଳଜାନ ଓ ବେଡ ଅଭାବରେ ସଂକ୍ରମିତ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।