କନକ ବ୍ୟୁରୋ: ସୁବ୍ରତ ଆସନ୍ତୁ, ସଚେତନ କରାନ୍ତୁ । ବଢିଲାଣି ସଂକ୍ରମଣ ପୁଣି ଫେରନ୍ତୁ ବାଗଚୀ । ସଂକ୍ରମଣ ବଢୁଛି, ଭୟ ବଢୁଛି । କରୋନାର ୨ୟ ଲହର ସଙ୍ଘାତିକ ହେଉଥିବା ବେଳେ ଏବେ ସାରା ଦେଶ ସହ ବିଭିନ୍ନ ରାଜ୍ୟର ଚିନ୍ତାର ବି ବଢୁଛି । ସଂକ୍ରମଣକୁ ପ୍ରତିହତ କରିବାକୁ ଓଡିଶା ସରକାର ସଜାଗ ଥିବାବେଳେ ଆଗକୁ ପଦକ୍ଷେପ ନେଇ ଲୋକଙ୍କୁ ସତର୍କ ରହିବାକୁ କହୁଛନ୍ତି । ଘନଘନ ବୈଠକ, ବାରମ୍ବାର ସମୀକ୍ଷା କରି ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସଚେତନ ହେବାକୁ ସରକାର ପରାମର୍ଶ ଦେଉଛନ୍ତି । ହେଲେ ସରକାରଙ୍କ କଥାକୁ ଶୁଣିବାକୁ ନାରାଜ ଅଧିକାଂଶ ଲୋକ । ଯେଉଁଥିପାଇଁ ରାଜ୍ୟରେ ଧିରେ ଧିରେ ଦାନା ବାନ୍ଧୁଛି କରୋନା । ତେବେ ସଂକ୍ରମଣ ସୀମାପାର କରିବା ପୂର୍ବରୁ ଲୋକଙ୍କୁ ଏହାର ମୁକାବିଲା କରିବାକୁ ପଡିବ । ସଚେତନ ରହିବାକୁ ପଡିବ । ଆଉ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସୁବ୍ରତ ବାଗଚୀଙ୍କୁ ଖୋଜା ପଡିଲାଣି । ବାଗଚୀ ହିଁ ଏକମାତ୍ର ଲୋକ ଯିଏ ଲୋକଙ୍କୁ ବୁଝେଇ ସୁଝେଇ ସଂକ୍ରମଣ ସହ ଲଢେଇ ପାଇଁ ଲୋକଙ୍କ ମନରେ ଶକ୍ତି ସଞ୍ଚାର କରିପାରିବେ । ନିଜ କଥା କହିବାର ଅଙ୍ଗଭଙ୍ଗୀ ଓ ସାବଲୀଳ ଶୈଳୀରେ ଲୋକଙ୍କୁ କରୋନା ମୁକାବିଲା ପାଇଁ ମନ୍ତ୍ର ଫୁଙ୍କିବେ । ତେଣୁ ସରକାର ପୁଣି ଥରେ ସୁବ୍ରତଙ୍କ ସଚେତନ ପାଇଁ ସାମ୍ନାକୁ ଆଣନ୍ତୁ ବୋଲି କେହି କେହି ଦାବି ବି କଲେଣି ।
ମନ ପକାନ୍ତୁ ଠିକ ବର୍ଷେ ତଳର କଥା । ଯେତେବେଳେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ସେତେବେଳେ ସାରା ରାଜ୍ୟରେ ଭୟରେ ଭୀତତ୍ରସ୍ତ ଥିଲା । କେତେବେଳେ, କେଉଁଠି ବି କରୋନା ଆମକୁ ମାଡି ବସିବ । ଲୋକଙ୍କ ମନରେ କରୋନା ପ୍ରତି ଥିବା କୋକୁଆ ଭୟ ମଣିଷ ମଣିଷ ପ୍ରତି ବି ଘୃଣାଭାବ ସୃଷ୍ଟି କରୁଥିଲା । କାହା କାହାକୁ ତ ଗାଁରୁ ବାସନ୍ଦ କରାଯାଇଥିଲା । ଆଉ ଏମିତି କିଛି ଭୟମିଶା ସନ୍ଦେହ ଯେତେବେଳେ ଓଡିଶାକୁ କରୋନା ଭଳି କବଜା କରି ରଖିଥିଲା । ଠିକ ସେତିକିବେଳେ ସାମ୍ନାକୁ ଆସିଥିଲେ ସୁବ୍ରତ ବାଗଚୀ । ସଙ୍କଟ ସମୟସରେ ସଙ୍କଟମୋଚନ ସାଜି ସରକାରଙ୍କ ମୁଖପାତ୍ର ଭାବେ ଲୋକଙ୍କୁ ବୁଝାଇବାରେ ଲାଗିଲେ ବାଗଚୀ ।
ସମୟ ଅପରାହ୍ଣ ଠିକ ସାଢେ ୪ଟା । ଘଣ୍ଟା କଣ୍ଟାରେ ସାଢେ ୪ ବାଜିବା ମାତ୍ରେ ହିଁ ଟିଭିରେ ଆସୁଥିଲେ ବାଗଚୀ । ଆଉ ଲୋକେ ବି କରୋନାର କାୟା, ସଂକ୍ରମଣର ସ୍ଥିତି ଜାଣିବାକୁ ସବୁଦିନ ଟିଭି ଖୋଲି ସୁବ୍ରତଙ୍କୁ ଶୁଣୁଥିଲେ । ଦେଶ, ରାଜ୍ୟ, ବିଶ୍ୱର କରୋନା ସ୍ଥିତିକୁ ଅତି ସତର୍କର ସହ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରୁଥିଲେ ବାଗଚୀ । ଆଉ ଲୋକେ ବି ତାଙ୍କ କଥାକୁ ଗୋଟି ଗୋଟି କରି ଶୁଣୁଥିଲେ, ମାନୁଥିଲେ, କାମରେ ଲଗାଉଥିଲେ । ସୁବ୍ରତଙ୍କ କଥାକୁ ବି ଗଣମାଧ୍ୟମ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରସାରଣ କରୁଥିଲେ ।
କେବେ ଗପ ମାଧ୍ୟମରେ ତ କେବେ କବିତା କାହାଣୀ ଶୁଣାଇ ଲୋକଙ୍କୁ ସଚେତନ କରୁଥିଲେ ସୁବ୍ରତ । କ୍ୱାରେଣ୍ଟାଇନ ଜୀବନ ଯନ୍ତ୍ରଣା ଦାୟକ କହି ଯେତେବେଳେ ଲୋକେ ସଙ୍ଗରୋଧରେ ରହିବାକୁ ମଙ୍ଗୁନଥିଲେ ସେତେବେଳେ କାଳିଆ ସାଆନ୍ତେ ବି ଜ୍ୱର ପାଇଁ ସଙ୍ଗରୋଧରେ ରୁହନ୍ତି ବୋଲି କହି ଭୂତାଣୁ ସହ ଭାବାବେଗକୁ ଯୋଡିଥିଲେ ସୁବ୍ରତ । ସେମିତି ୧୪ ଦିନିଆ କ୍ୱାରେଣ୍ଟାଇନ ପାଇଁ ପ୍ରଭୁ ଶ୍ରୀରାମଙ୍କ ୧୪ ବର୍ଷର ବନବାସ ସହ ତୁଳନା କରିଥିଲେ ବାଗଚୀ । କେବେ ବାଘ ମାମୁ, କେବେ ଭୀମଭୋଇ, ପୁଣି କେବେ କଅଁଳା ପିଲାର ଏକୋଇଶିଆ କଥା କହି ଲୋକଙ୍କୁ ବୁଝାଉଥିଲେ । ଗାଉଁଲୀ ଭାଷା, ସରଳ ଶବ୍ଦ, ଢଗଢମାଳି, ଆଇମା କାହାଣୀ, ଗାଁର ତାସଖେଳ କଥାକୁ ଅଚି ଚତୁରତାର ସହ କରୋନା ଭୂତାଣୁ ସହ ଯୋଡି ଲୋକଙ୍କୁ ସଚେତନ କହିବାରେ ସିଦ୍ଧହସ୍ତ ଥିଲେ ସୁବ୍ରତ ।
ମୋଟ ୬୦ ଦିନ ସାମ୍ନାକୁ ଆସି ବାଗଚୀ ଲୋକଙ୍କୁ ଯେଉଁଭଳି ଭାବେ ବୁଝାଉଥିଲେ । କରୋନା କବଳରୁ ନିଜକୁ ରକ୍ଷା କରିବାକୁ ଲୋକଙ୍କୁ ବିଭିନ୍ନ ଶୈଳୀରେ ବୁଝାସୁଝା କରୁଥିଲେ ଯାହାକୁ କେବେ ନା ଓଡିଶା, ନା ଓଡିଶାବାସୀ ଭୁଲିପାରିବେ । ଆଉ ଏବେ ପୁଣି ଥରେ ରାଜ୍ୟରେ, କରୋନା ସ୍ଥିତି ଗମ୍ଭୀର ହେଉଥିବା ବେଳେ ଲୋକଙ୍କୁ ସତର୍କ କରାଇବାକୁ ସଚେତନ କରିବାକୁ ସୁବ୍ରତ ଫେରନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି । ବାଗଚୀ ହିଁ ନିଜ ନିଆରା ଅନ୍ଦାଜରେ ଲୋକଙ୍କୁ ବୁଝାଇ ଆସନ୍ନ ବିପଦରୁ ପୁଣି ଥରେ ବିଜୟ ପାଇଁ ବାଟ ଦେଖାଇବେ ।