ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ସତର୍କ ରହିବା ଜରୁରୀ : ରିସ୍କ ଜୋନରେ ଅଛନ୍ତି ଶିଶୁ; ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

383

କନକ ବ୍ୟୁରୋ : ଯେମିତି କୋଭିଡ ପାଇଁ ସତର୍କତା ଅବଲମ୍ବନ କରାଯାଉଛି ସେମିତି ଓମିକ୍ରନ ଭ୍ୟାରିଆଣ୍ଟ ପାଇଁ ସତର୍କ ରହିବା ଆବଶ୍ୟକ । ଟେକନିକାଲ ଏବଂ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ । ଓମିକ୍ରନର ପ୍ରଭାବକୁ ଦେଖି ଆଜି ଏଭଳି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ, ଯେଉଁମାନେ କରୋନା ଟିକା ନେଇ ନାହାନ୍ତି କିମ୍ବା ଗମ୍ଭୀର ଶାରୀରିକ ସମସ୍ୟା ଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ । ଏହାସହ ଶିଶୁମାନେ ମଧ୍ୟ ଓମିକ୍ରନ ଦ୍ବାରା ଅଧିକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି । ସେଥିପାଇଁ ସିଏଚସି ଏବଂ ପିଏଚସିରେ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରିବାକୁ ବ୍ୟବସ୍ଥା କରାଯାଇଛି । ଏଚଡିୟୁ ଏବଂ ଆଇସିୟୁ ବ୍ୟବସ୍ଥା କରାଯାଉଛି । ଶିଶୁମାନଙ୍କ ଚିକିତ୍ସା ପାଇଁ ଭିନ୍ନ ଗାଇଡ଼ଲାଇନ ଥିବା ସହ ସେଥିପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଡାକ୍ତର ବିଜୟ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ହୁ’ଏବଂ ଅନ୍ୟ ଗବେଷକମାନଙ୍କ ତଥ୍ୟ ଅନୁସାରେ, ଓମିକ୍ରନ ଭ୍ୟାରିଆଣ୍ଟର ସଂକ୍ରାମକ କ୍ଷମତା ଅନ୍ୟ ଭାରିଆଣ୍ଟଠାରୁ ଅଧିକ । ଓମିକ୍ରନ ସଂକ୍ରମଣରେ ଲକ୍ଷଣ କମ ଥିବା ସହ ରୋଗୀ ଗୁରୁତର ହୋଇ ମୃତ୍ୟୁବରଣ କରୁନାହାନ୍ତି । ଓଡ଼ିଶା ଫେରିଥିବା ୯୮୨ଜଣଙ୍କ ମଧ୍ୟରୁ ଯେଉଁ ୪ଜଣ କରୋନା ପଜିଟିଭ ହୋଇଛନ୍ତି, ସେମାନଙ୍କ ପାଖରେ ମଧ୍ୟ କୌଣସି ଲକ୍ଷଣ ନାହିଁ ।