ଆରୟନ ଖାନ୍ ଡ୍ରଗ୍ସ ମାମଲା, ଜାମିନ ଆବେଦନର ଶୁଣାଣି ବେଳେ ଆରୟନଙ୍କ ଓକିଲ ଦେଲେ ଏମିତି ଜବାବ୍

190

କନକ ବ୍ୟୁରୋ : ଆଉ ମାତ୍ର କିଛି ସମୟରେ ଆରୟନ ଖାନଙ୍କୁ ବେଲ ମିଳିବ ନା ସେ ପୁଣିଥରେ ଜେଲକୁ ଫେରିଯିବେ ତାହା ଉପରେ କୋର୍ଟ ରାୟ ଶୁଣାଇବେ । ହେଲେ ଆରୟନଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଛନ୍ତି କି ଆରୟନଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ, ସେ ଡ୍ରଗ୍ସ ସେବନ କରିଥିବାର ପ୍ରମାଣ ନାହିଁ । ଏଣୁ ତାଙ୍କ ଗିରଫଦାରି ବେଆଇନ ।

ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ହ୍ବାଟ୍ସଆପ ଚାଟ ୨୦୧୮, ୨୦୧୯ ଓ ୨୦୨୦ର । ସେଗୁଡ଼ିକ କ୍ରୁଡ ପାର୍ଟି ସହ ସଂପର୍କିତ ନୁହେଁ । ଅନ୍ୟପକ୍ଷରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ର ମୁମ୍ବାଇ ଜୋନ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡ଼େ ନୂଆଦିଲ୍ଲୀରେ ଥିବା ଏନସିବି ମୁଖ୍ୟାଳୟରେ ପହଞ୍ଚି ବରିଷ୍ଠ ଅଧିକାରୀମାନଙ୍କୁ ଭେଟିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଓ୍ବାଙ୍ଖଡ଼େ ଦିଲ୍ଲୀର ଆରକେ ପୁରମସ୍ଥିତ ଏନସିବି ମୁଖ୍ୟାଳୟର ପଛଗେଟ ଦେଇ ପ୍ରବେଶ କରିଥିଲେ । ସେଠାରେ ସେ ପ୍ରାୟ ଦୁଇଘଣ୍ଟା ରହି ଏନସିବିର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ତେବେ ସେ ଏନସିବି ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କୁ ଭେଟିଛନ୍ତି କି ନା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ମୁମ୍ବାଇ କ୍ରୁଜ ଜାହାଜ ଡ୍ରଗ୍ସ ମାମଲାରେ ସମୀରଙ୍କ ବିରୋଧରେ ୨୫ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ଆସିବା ପ୍ରେକ୍ଷାପଟ୍ଟରେ ତାଙ୍କର ଦିଲ୍ଲୀ ଗସ୍ତକୁ ଗୁରୁତ୍ବ ଦିଆଯାଉଛି । ସେ ସୋମବାର ରାତିରେ ଦିଲ୍ଲୀରେ ପହଞ୍ଚିଥିଲେ । ଏୟାରପୋର୍ଟରେ ସାମ୍ବାଦିକମାନଙ୍କୁ ସେ କହିଥିଲେ ଯେ ସେ ଆରୟନ ମାମଲାରେ ଆଇନ ଅନୁସାରେ କାର୍ୟ୍ୟ କରିଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଉଠିଥିବା ଲାଞ୍ଚ ମଗା ଅଭିଯୋଗ ମାମଲରେ ତାଙ୍କୁ ଦିଲ୍ଲୀ ଡକରା ହୋଇନାହିଁ ବୋଲି ସେ କହିଛନ୍ତି ।