ଆରୟନଙ୍କ ପାଇଁ ବଢିଲା ଅଡୁଆ, ଅକ୍ଟୋବର ୩୦ ଯାଏଁ ଜେଲରେ ରହିବେ ଶାହାରୁଖଙ୍କ ପୁଅ

84

କନକ ବ୍ୟୁରୋ : କ୍ରୁଜ ସିପ୍ ଡ୍ରଗ୍ସ ମାମଲାରେ ଦିନକୁ ଦିନ ଆରୟନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ପ୍ରଥମେ ସେସନ କୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଏବେ ଏନସିବି ପକ୍ଷରୁ ଆରୟନଙ୍କୁ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖାଯିବ ବୋଲି ସ୍ପଷ୍ଟ କରାଯାଇଛି । ଆରୟନଙ୍କ ସହ ୮ ଜଣ ଅଭିଯୁକ୍ତଙ୍କର ନ୍ୟାୟିକ ହେପାଜତ ଅବଧି ବି ବୃଦ୍ଧି କରାଯାଇଛି ।

କୁହାଯାଉଛି କି ଆରୟନଙ୍କୁ ଯେମିତି ଜାମିନ ନମିଳେ ସେନେଇ ଏନସିବି ପକ୍ଷରୁ ଜୋରଦାର ପ୍ରୟାସ ହୋଇଛି । ଅନୁମାନ କରାଯାଉଛି କି ଯଦି ଆରୟନଙ୍କୁ ଜାମିନ ମିଳିଯିବ ତେବେ ସେ ଏହି ମାମଲାରେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାର ଆଶଂକା ଥିବାରୁ ତାଙ୍କୁ ଅଧିକ ଦିନ ରିମାଣ୍ଡରେ ରଖି ପଚରା ଉଚରା କରିବାକୁ ଚାହୁଁଛି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଆରୟନ ଖାନଙ୍କୁ ପ୍ରଥମେ ୧୪ ଦିନିଆ ନ୍ୟାୟିକ ହେପାଜତକୁ ଏନସିବି ନେଇଥିଲା । ହେଲେ ଏହି ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ବାହାରୁ ଥିବାରୁ ମାମଲା ବାବଦରେ ପୂର୍ଣ୍ଣ ଯାଂଚ କରିବାକୁ ଏନସିବି ପୁଣି ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି ।

ସେପଟେ ଗତକାଲି ମୁମ୍ବାଇ ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରାଜ ହେବା ପରେ ଆରୟନଙ୍କ ଓକିଲ ଏହି ମାମଲାକୁ ନେଇ ମୁମ୍ବାଇ ହାଇକୋର୍ଟରେ ପହଂଚିଛନ୍ତି । ଗୋଟେପଟେ ଏନସିବି ରିମାଣ୍ଡ ଅବଧି ବୃଦ୍ଧି କରିଥିବା ବେଳେ ସେପଟେ ଯଦି ହାଇକୋର୍ଟ ଆରୟନଙ୍କୁ ଜାମିନ ପ୍ରଦାନ କରେ ତେବେ ଆରୟନ ଜେଲରୁ ବାହାରିବେ ନା ପୁଣି ମାମଲାର ମୋଡ ଆଉ କେଉଁଆଡେ ଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଜି ଡ୍ରଗ୍ସ ମାମଲାରେ ଆରୟନଙ୍କ ହ୍ୱାଟସପ ଚାଟରୁ କିଛି ତଥ୍ୟ ଯୋଗାଡ କରି ଏନସିବି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବାସଭବନ ଉପରେ ଚଢାଉ କରିବା ସହ ଏବେ ତାଙ୍କୁ ଜେରା କରୁଛି । କୁହାଯାଉଛି କି, ଏହି ମାମଲାରେ ବି ଅନ୍ୟ ୨ ଜଣଙ୍କ ଉପରେ ତୀକ୍ଷ୍ମ ନଜର ଏନସିବି ରଖିଥିବା କଥା ବିଶେଷ ସୂତ୍ରରୁ ସୂଚନା ମିଳିଛି ।