ତିନି ସପ୍ତାହ ପରେ ମନ୍ନତକୁ ଫେରିଲେ ଆରୟନ: ବାଣଫୁଟାଇ ଘର ସାମନାରେ ପ୍ରଶଂସକ କଲେ ସ୍ୱାଗତ

93

କନକ ବ୍ୟୁରୋ: ଜେଲରୁ ମୁକୁଳିଲେ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆରୟନ ଖାନ । ଶନିବାର ସକାଳୁ ଆରଥର ରୋଡ ଜେଲ୍ରୁ ବାହାରି ମନ୍ନତରେ ପହଁଚିଛନ୍ତି ଆରୟନ । ଆଉ ମନ୍ନତ ଆଗରେ ବାଣ, ବାଜା ସହ ଆରୟନଙ୍କୁ ସ୍ୱାଗତ କରିଛନ୍ତି ଶାହରୁଖ ଖାନ୍ଙ୍କ ପ୍ରଶଂସକ । ଗତ ଗୁରୁବାର ବମ୍ବେ ହାଇକୋର୍ଟ ଶୁଣାଣୀ କରି ଆରୟନ ଖାନ୍ଙ୍କୁ ଜାମିନ ପ୍ରଦାନ କରିଥିଲେ । ତେବେ କୋର୍ଟଙ୍କ ପ୍ରକ୍ରିୟା ବିଳମ୍ବ ହେତୁ ଶନିବାର ଜେଲରୁ ବାହାରିଛନ୍ତି ଆରୟନ ।

କ୍ରୁଜ ଡ୍ରଗ୍ସ କାଣ୍ଡ ଘଟଣାରେ ଶେଷରେ ଜେଲରୁ ବାହାରିଲେ ଆରୟନ ଖାନ । ଦୀର୍ଘ ୨୮ର ନ୍ୟାୟିକ କସରତ ପରେ ଜାମିନରେ ବାହାରକୁ ଆସିଛନ୍ତି ଶାହରୁଖଙ୍କ ପୁଅ । ଆଉ ଆରୟନଙ୍କ ଜେଲରୁ ବାହାରିବାକୁ ନେଇ ଏମିତି ଥିଲା ପରିବେଶ । ଆରଥର ରୋଡ ଜେଲ ଠାରୁ ମନ୍ନତ ପର୍ଯ୍ୟନ୍ତ ସବୁଠି ଶାହରୁଖ ଖାନ୍ଙ୍କ ପ୍ରଶଂସକଙ୍କ ଗହଳି ଦେଖିବାକୁ ମିଳିଛି । ଜେଲ ବାହାରେ ଗହଳିକୁ ଦୃଷ୍ଟିରେ ରଖି ଶାହରୁଖଙ୍କ ବଡିଗାର୍ଡ ରବି ଆରୟନଙ୍କୁ ଆଣିବାକୁ ପହଁଚିଥିଲେ । ସୁରକ୍ଷାକୁ ନଜରରେ ରଖି ଜେଲ୍ ବାହାରେ କରାଯାଇଥିଲା ବାରିକେଟ୍ ବ୍ୟବସ୍ଥା । ସେପଟେ ଶାହରୁଖ ଖାନ୍ଙ୍କ ଘର ମନ୍ନତ ବାହାରେ ବି ଦେଖିବାକୁ ମିଳିଛି ପ୍ରଶଂସକଙ୍କ ଗହଳି । ବାଣ ବାଜା ସହ ଆରୟନଙ୍କୁ ସ୍ୱାଗତ କରିଛନ୍ତି ଶାହରୁଖଙ୍କ ପ୍ରଶଂସକମାନେ ।

ସେପଟେ ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କାଣ୍ଡର ତଦନ୍ତ ଚଳାଇଛି ଏନସିବି । ଘଟଣାରେ ଏନସିବି ଓ ଏନସିପି ନେତା ନୱାବ ମଲ୍ଲିକଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପର ଧାରା ଜାରି ରହିଛି । ନାରକୋଟିକ୍ସ କଂଟ୍ରୋଲ ବ୍ୟୁର କେବଳ ବଲିଉଡ ତାରକାଙ୍କୁ ଟାର୍ଗେଟ କରୁଛି ବୋଲି ନୱାବ ମଲ୍ଲିକ ଅଭିଯୋଗ କରୁଥିବାବେଳେ ଏନିସିବି ଅଧିକାରୀ ଜ୍ଞାନେଶ୍ୱର ସିଂହ କହିଛନ୍ତି, ଅଜଥା ବିବାଦ ସୃଷ୍ଟି ନକରି ଆମକୁ ଆମ କାମ କରିବାକୁ ଦିଅନ୍ତୁ । ଆରୟନ ଖାନ୍ ଗିରଫ ମାମଲାରେ ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖଡେ ଲାଂଚ ମାଗିଥିଲା ଅଭିଯୋଗ କରିଥିଲେ ନୱାବ ମଲ୍ଲିକ ।

ଗୁରୁବାର ଶୁଣାଣି କରି ଆରୟନ ଖାନ୍ଙ୍କୁ ସର୍ତ ମୂଳକ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । ଶୁକ୍ରବାର ତାଙ୍କୁ ଜେଲ୍ରୁ ବାହାର କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶନାମା ଜାରି କରିବାକୁ ବିଳମ୍ବ ହେବାରୁ ଶୁକ୍ରବାର ଜେଲରୁ ବାହାରି ପାରିନଥିଲେ ଆରୟନ ।