୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିଲେ ଆରୟନ୍ : ଏନସିବି ଆଗରେ କଲେ ସ୍ୱୀକାର

754

କନକ ବ୍ୟୁରୋ : ଶାହାରୁଖ ଖାନଙ୍କ ପୁଅ ଆରୟନ୍ ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଥିଲେ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଏନସିବିର ପଚରାଉଚରା ବେଳେ ସେ ସ୍ୱୀକାର କରିଥିବା ସୂଚନା ମିଳିଛି । ଦେଶ ବାହାରେ ୟୁକେ, ଦୁବାଇ ଆଦି ସହରରେ ସେ ଡ୍ରଗ୍ସ ସେବନ କରିଥିବା ଜଣାପଡ଼ିଛି । ଏନସିବିର ସୂଚନା ଅନୁସାରେ ଶାହାରୁଖ ଖାନ୍ ପୁଅ ଆରୟନ୍ ସହ ଫୋନରେ କଥା ହୋଇଛନ୍ତି । ଆରୟନ୍ ଗିରଫ ହେବା ପରେ ଏନସିବିର ଲ୍ୟାଣ୍ଡଲାଇନରେ କଥା ହୋଇଛନ୍ତି ଶାହାରୁଖ ।

ମାତ୍ର ଦୁଇ ମିନିଟ୍ ପାଇଁ ପୁଅ ସହ କଥା ହୋଇଥିଲେ । ଏହି ସମୟରେ ଆରୟନ୍ ବହୁତ କାନ୍ଦି ଥିବା କୁହାଯାଉଛି । ଡ୍ରଗ୍ସ ସେବନ ମାମଲାରେ ଆରୟନଙ୍କୁ ଲଗାତର ପଚରାଉଚରା କରୁଛି ଏନସିବି । ଆରୟନ୍, ଅରବାଜ ମରଚାଂଟ ସମେତ ଅନ୍ୟ ଅଭିଯୁକ୍ତଙ୍କ ଫୋନ୍ ଜବତ କରି ମେସେଜର ଖୋଳତାଡ କରୁଛନ୍ତି ଏନସିବି । ଆରୟନ୍ ଅନେକ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ଜଣାପଡ଼ିଛି । ଏହି ପ୍ରମାଣ ଆଧାରରେ ଏନସିବି ଆରୟନ୍ ଓ ଅରବାଜଙ୍କୁ ମୁହାଁମୁହିଁ ଜେରା କରିଛି ।

ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ ଏନସିବି ହେପାଜତରେ ରାତି ବିତାଇବାକୁ ପଡିଛି । ଏ ପର୍ଯ୍ୟନ୍ତ ସେ କେବଳ ନିଷିଦ୍ଧ ଡ୍ରଗ୍ସ ‘ଚରସ’ ସେବନ କରିଥିବା ଜଣାପଡିଛି । ତେବେ ସେ ଡ୍ରଗ୍ସ ରଖିଥିଲେ ନା ନାହିଁ ଏବଂ କେଉଁଠାରୁ ଆଣିଥିଲେ ଏସବୁ ବାବଦରେ ଖୋଳତାଡ ହେବ । କାରଣ ତାଙ୍କ ବିରୋଧରେ ଏନଡିପିଏସ ଆଇନର ବିଭିନ୍ନ ଧାରାରେ ଡ୍ରଗ୍ସ ସେବନ କରିବା, କିଣିବା, ପାଖରେ ରଖିବା ଓ ବିକିବା ଭଳି ଅଭିଯୋଗରେ ମାମଲା କରାଯାଇଛି । ଆରୟନଙ୍କ ସହ ତାଙ୍କ ଅଭିନେତା ବନ୍ଧୁ ଅର୍ବାଜ ମର୍ଚାଂଟ ଏବଂ ମୁନମୁନ ଧାମେଛାଙ୍କ ଏନସିବି ରିମାଣ୍ଡ ଆଜି ଶେଷ ହେଉଛି । ମାମଲାରେ ଅନ୍ୟ ୫ ଜଣଙ୍କୁ ଆଜି କୋର୍ଟରେ ହାଜର କରାଯିବ ବୋଲି ଏନସିବି କହିଛି । ତେବେ ପୁରା ମାମଲାରେ ଆରୟନ୍ ଖାନଙ୍କ ସଂପୃକ୍ତି ନେଇ କ’ଣ ସବୁ ତଥ୍ୟ ବର୍ତ୍ତମାନ ସୁଦ୍ଧା ପଦାକୁ ଆସିଛି ।

– କୋର୍ଡେଲିଆ କ୍ରୁଜରେ ଚାଲିଥିବା ରେଭ ପାର୍ଟିରେ କେବଳ ଚରସ ସେବନ କରିଥିଲେ ଆରୟନ୍ ଖାନ୍
– ଏଥିପାଇଁ ତାଙ୍କୁ ସର୍ବାଧିକ ୧ ବର୍ଷ ଜେଲ ସହ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ
– ଆରୟନଙ୍କୁ ପାର୍ଟିରେ ଅତିଥୀ ଭାବେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଥିବା କହିଛନ୍ତି ତାଙ୍କ ଓକିଲ
– ତେଣୁ ଆରୟନଙ୍କ ପାଖରେ କୋର୍ଡେଲିଆ କ୍ରୁଜ ସିପର କୌଣସି ଟିକେଟ୍ ମଧ୍ୟ ନଥିବା ଦର୍ଶାଯାଇଛି
– ହେଲେ ତାଙ୍କ ବିରୋଧରେ ଡ୍ରଗ୍ସ ସେବନ, କିଣିବା, ରଖିବା ଓ ବିକିବା ଭଳି ମାମଲା କରିଛି ଏନସିବି
– ଡ୍ରଗ୍ସ କାରବାରକୁ ୧୯୮୫ ଏନଡିପିଏସ ଆଇନରେ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି
– ସ୍ମଲ କ୍ୱାଂଟିଟି ଅର୍ଥାତ ଅଳ୍ପ ପରିମାଣ, ଅଳ୍ପରୁ ଅଧିକ କିନ୍ତୁ ବ୍ୟବସାୟିକ ପରିମାଣରୁ କମ୍, ତୃତୀୟଟି କମର୍ସିଆଲ କ୍ୱାଂଟିଟି ଅର୍ଥାତ ବ୍ୟବସାୟିକ ପରିମାଣ,
– ସ୍ମଲ କ୍ୱାଂଟିଟିର ଡ୍ରଗ୍ସ ରଖିଥିଲେ ୧ ବର୍ଷ ପର୍ଯ୍ୟନ୍ତ ଜେଲ ସହ ୨୦ ହଜାର ଟଙ୍କା ଜୋରିମାନା
– ଅଳ୍ପରୁ ଅଧିକ କିନ୍ତୁ ବ୍ୟବସାୟିକ ପରିମାଣରୁ କମ୍ ଡ୍ରଗ୍ସ ଧରାପଡିଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧ ଲକ୍ଷ ଟଙ୍କା ଯାଏଁ ଜୋରିମାନା
– କମର୍ସିଆଲ କ୍ୱାଂଟିଟି ପାଇଁ ୧୦ରୁ ୨୦ ବର୍ଷ ଜେଲ ସହ ୧ରୁ ୨ ଲକ୍ଷ ଯାଏଁ ଜୋରିମାନା ବ୍ୟବସ୍ଥା ରହିଛି