ଆରୟନଙ୍କୁ କେବେ ମିଳିବ ବେଲ୍ ? ଆଜି ବମ୍ବେ ହାଇକୋର୍ଟରେ ପୁଣି ହେବ ଶୁଣାଣି ।

85

କନକ ବ୍ୟୁରୋ : ଆରୟନ ଖାନଙ୍କୁ କେବେ ମିଳିବ ବେଲ୍ । ଜାମିନ ପାଇଁ ଦୁଇ ଦିନ ଶୁଣାଣି ପରେ ବି ଏହି ଷ୍ଟାରକିଡଙ୍କୁ ମିଳିନି ଜାମିନି । ଆଜି ପୁଣି ଥରେ ବମ୍ବେ ହାଇକୋର୍ଟରେ ହେବ ଶୁଣାଣି । ଆରୟନଙ୍କ ପକ୍ଷ ରଖୁଛନ୍ତି ବରିଷ୍ଠ ଆଇନଜୀବି ମୁକୁଲ ରହତୋଗୀ । ଆରୟନଙ୍କ ଗିରଫଦାରୀକୁ ବେଆଇନ୍ ଦର୍ଶାଇବା ସହ ତାଙ୍କୁ ଜାମିନ୍ ଦେବାକୁ ଗତକାଲି କୋର୍ଟଙ୍କ ନିକଟରେ ନିବେଦନ କରିଥିଲେ ରହତୋଗୀ ।

ଆରୟନ ଖାନଙ୍କୁ ଗତ ୩ ତାରିଖରୁ ଗିରଫ କରିଛି ଏନସିବି । ସମୁଦ୍ର ମଝିରେ କ୍ରୁଜରେ ଚାଲିଥିବା ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବାବେଳେ ତାଙ୍କୁ ଧରିଥିଲା ଏନସିବି । ଆରୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ବନ୍ଧୁ ଅରବାଜ ମର୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ ଡ୍ରଗ୍ସ ଜବତ ହୋଇଥିବା ଦର୍ଶାଇଥିଲା ଏନସିବି । ଆରୟନ, ଅରବାଜଙ୍କ ସହ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା । ତାପରେ ଆରୟନଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏନସିବି । ଏବଂ ତାପରେ ଆରୟନଙ୍କ ହ୍ୱାଟ୍ସଆପ୍ ଚାଟକୁ ଆଧାର କରି ତାଙ୍କ ବିରୋଧରେ ଆହୁରି ଦଫା ଲଗାଇଥିଲା ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ ।

ତେବେ ସେହି ଚାଟକୁ ଆଧାର କରି ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ବି ସମନ କରିଥିଲା ଏନସିବି । ଆଉ ପଚରାଉଚୁରା କରିଥିଲା । ଆରୟନଙ୍କର ଇଣ୍ଟରନ୍ୟାସନାଲ ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ଥିବା ଚାଟରୁ ଜଣାପଡିଥିବା ଦାବି କରି ଆସୁଛି ଏନସିବି । ଆରୟନଙ୍କୁ ଜାମିନ ମିଳିଲେ ସେ ତଦନ୍ତକୁ ପ୍ରଭାବିତ କରିବାର ସମ୍ଭାବନା ଥିବା ଦର୍ଶାଇ ଜାମିନ ନଦେବାକୁ କୋର୍ଟରେ ଅପିଲ କରୁଛି । ଏନସିବିର ଦାବିକୁ ଯଥାର୍ଥ ଭାବି ଆରୟନଙ୍କୁ ଏପର୍ଯ୍ୟନ୍ତ ବେଲ୍ ଦେଇନାହାନ୍ତି କୋର୍ଟ । ତିନି ଦିନ ହେଲା ହାଇକୋର୍ଟରେ ଚାଲିଛି ଆରୟନଙ୍କ ଜାମିନ ଆବେଦନର ଶୁଣାଣି ।