ଏହି କାରଣ ଯୋଗୁଁ ଆରୟନଙ୍କୁ ମିଳିଲାନି ବେଲ। ପୁଅକୁ ଭେଟିବାକୁ ଜେଲରେ ପହଞ୍ଚିଲେ ଶାହାରୁଖ

272

କନକ ବ୍ୟୁରୋ: କନକ ବ୍ୟୁରୋ : ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଆଜି ବି ମିଳିଲା ନାହିଁ ଜାମିନ । ଜେଲରୁ ବାହାରି ପାରିଲେ ନାହିଁ ଆରୟନ । କାରଣ, ଏନଡିପିଏସ କୋର୍ଟ ପୁଣି ଥରେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ଏବେ ଆରୟନ ଜାମିନ ପାଇଁ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି ।କୋର୍ଟ ଏନଡିପିଏସ ଆକ୍ଟ ଆଧାରରେ ଆରୟନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।

ଏନସିବି ଦ୍ୱାରା ଦାଖଲ ୧୮ ପୃଷ୍ଠା ବିଶିଷ୍ଟ ଦଲିଲକୁ ଯାଞ୍ଚ କରିବା ପରେ ଆରୟନଙ୍କ ବିରୋଧରେ ପ୍ରମାଣ ଅଛି ବୋଲି କୋର୍ଟ କହିଥିଲେ । ତେବେ କେଉଁ କେଉଁ କାରଣରୁ ହୋଇପାରିଲାନି ଆରୟନଙ୍କ ବେଲ?

କୋର୍ଟଙ୍କ କହିବା ଅନୁସାରେ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟିରୁ ଗିରଫ ହୋଇଥିବା ଆରୟନ ଓ ତାଙ୍କ ସାଙ୍ଗ ଅରବାଜ୍ ଦୀର୍ଘ ଦିନ ହେବ ସାଙ୍ଗ ଥିଲେ । ଗିରଫ ପରେ ଦୁହେଁ ଡ୍ରଗ୍ସ ସେବନ କରୁଥିବା କଥା ମଧ୍ୟ ମାନିଥିଲେ । ତେବେ ଘଟଣା ଦିନ ଅରବାଜଙ୍କ ଯୋତାରେ ଡ୍ରଗ୍ସ ଥିଲା ବୋଲି ଆରୟନ ଜାଣିଥିବା କୋର୍ଟ କହିଛନ୍ତି ।

ଯଦିଓ ଆରୟନଙ୍କ ପଖରୁ ଡ୍ରଗ୍ସ ମିଳିନାହିଁ ବୋଲି ଯୁକ୍ତି ବାଢିଥିଲେ, କିନ୍ତୁ ଅନ୍ୟ ଏକ ଆଧାରରେ କୋର୍ଟ ଏହି ଯୁକ୍ତିକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ । ଯଦିଓ ଆରୟନ ଠାରୁ ଡ୍ରଗ୍ସ ମିଳିନଥିଲା ହେଲେ ତାଙ୍କର ବନ୍ଧୁ ଅରବାଜଙ୍କ ଠାରୁ ଯେହେତୁ ମିଳିଛି ତେଣୁ ଦୁହେଁ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି କୋର୍ଟ ।

ସରକାରୀ ଓକିଲ ବିବି ପାଟିଲଙ୍କ କହିବା ମୁତାବକ, ଆରୟନଙ୍କ ହ୍ୱାଟ୍ସଆପରୁ ଯାହା ଜଣାପଡୁଛି , ଆରୟନଙ୍କର ଡ୍ରଗ୍ସ ପେଡଲରଙ୍କ ସହ ସମ୍ପର୍କ ରହିଛି । ଆରବାଜଙ୍କ ସହ ମଧ୍ୟ ତାଙ୍କର ଅଧିକାଂଶ ସମୟରେ ଚ୍ୟାଟ ହୋଇଥିବା ପ୍ରମାଣ ମିଳିଛି । ଏପରି ସ୍ଥିତିରେ ଯେହେତୁ ଗିରଫ ହୋଇଥିବା ଅରବାଜ ଓ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ଠାରୁ ଡ୍ରଗ୍ସ ମିଳିଛି ତେଣୁ ଆରୟନଙ୍କ ଏଥିରେ ସମ୍ପୃକ୍ତିକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଓକିଲ ଯୁକ୍ତି ଦର୍ଶଇଥିଲେ ।

ଏହାସହ ଗିରଫ ପରେ ଅଭିଯୁକ୍ତ ମାନେ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ପ୍ରକାଶ କରିଥିଲେ । ଏହାଦ୍ୱାରା ଅଭିଯୁକ୍ତମାନଙ୍କର କୌଣସି ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଆଡକୁ ଇଶାରା କରୁଛି । ତେଣୁ ଏହି କ୍ରମରେ ସମସ୍ତ ଅଭିଯୁକ୍ତଙ୍କ  ଉପରେ ଏନଡିପିଏସ ଆଧାରରେ ଧାରା ୨୯ ଲାଗୁ ହୋଇଛି ।

 ଆରୟନ ଓ ଅନ୍ୟ ଅଭିଯୁକ୍ତଙ୍କ ଏହି ଘଟଣାକୁ ସରକାରୀ ଓକିଲ ରୀୟା ଚକ୍ରବର୍ତ୍ତୀଙ୍କ ଘଟଣା ସହ ତୁଳନା କରିଥିଲେ । ତେଣୁ ଯେହେତୁ ଆରୟନ ଡ୍ରଗ୍ସ ରଖିଥିବା ସମସ୍ତ ଅଭଯୁକ୍ତଙ୍କ ସହ ସାମିଲ ଅଛନ୍ତି ତେଣୁ ସେ ମଧ୍ୟ ପୁରା ଡ୍ରଗ୍ସ ନେଟୱର୍କରେ ସାମିଲ ଥିବା ସ୍ପଷ୍ଟ ହୋଇଛି । ତେଣୁ ଆରୟନ ପାଖରୁ ଡ୍ରଗ୍ସ ମିଳିନାହିଁ କହି ଘଟଣାକୁ ଦୁର୍ବଳ କରାଯିବାର କୌଣସି କାରଣ ନାହିଁ ବୋଲି ସରକାରୀ ଓକିଲ ବିବି ପାଟିଲ ଶୁଣାଣି ବେଳେ କହିଛନ୍ତି ।

ଅନ୍ୟପଟେ ବୁଧବାର ଆରୟନଙ୍କ ବେଲ ଆବେଦନ ଖାରଜ ହେବା ପରେ ଆଜି ତାଙ୍କୁ ଭେଟିବାକୁ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି ବାପା ଶହାରୁଖ ଖାନ୍ । ୧୭ ଦିନ ପରେ ପୁଅକୁ ଭେଟି ୧୫ ମିନିଟ କଥା ହୋଇଛନ୍ତି ଶାହାରୁଖ । ଏହା ପୂର୍ବରୁ ଶହାରୁଖ ଓ ପତ୍ନୀ ଗୌରୀ ଖାନ୍ କେବଳ ଭିଡିଓ କଲରେ ଆରୟନଙ୍କ ସହ କଥା ହୋଇଥିଲେ । ଏହାସହ ଫୋନ ମାଧ୍ୟମରେ ଜେଲ କର୍ମଚାରୀଙ୍କ ସହ କଥା ହୋଇ ପୁଅର ସ୍ୱାସ୍ଥ୍ୟାବସ୍ଥା ବାବଦରେ ବୁଝୁଥିଲେ । ତେବେ କହିରଖୁ ଯେ, ବୁଧବାର ବେଲ ଆବେଦନ ଖାରଜ ହେବା ପରଠାରୁ ଜେଲ କୋଠରୀ ଭିତରେ ଆରୟନ ନୀରବ ରହୁଥିବା ଜଣାପଡିଛି ।