ଆଜି ଜେଲରୁ ମୁକୁଳିବେ ଆରୟନ ଖାନ : ଜାମିନ ଅର୍ଡର ପହଁଚିବାରେ ବିଳମ୍ବ ହେତୁ ଗତକାଲି ବାହାରି ପାରି ନଥିଲେ ଶାହରୁଖ ଖାନଙ୍କ ପୁଅ

୧ ଲକ୍ଷ ଟଙ୍କା ସହ ସର୍ତମୂଳକ ଜାମିନ ଦେଇଥିଲେ ବମ୍ବେ ହାଇକୋର୍ଟ

80

କନକ ବ୍ୟୁରୋ : ଜାମିନ ମିଳିବା ପରେ ବି ଆଜି ଜେଲରୁ ବାହାରିବେ ଆରୟନ ଖାନ୍ । ବମ୍ବେ ହାଇକୋର୍ଟରୁ ଏନଡିପିଏସ୍ କୋର୍ଟ ପର୍ଯ୍ୟନ୍ତ ଜାମିନ୍ ପାଇଁ ପ୍ରକ୍ରିୟାରେ ବିଳମ୍ବ ହେତୁ ଗତକାଲି ସମୟ ଭିତରେ ଜେଲରେ ପହଁଚି ପାରିଲାନି କୋର୍ଟଙ୍କ ଜାମିନ ଅର୍ଡର । ଫଳରେ ଜେଲରୁ ମୁକୁଳି ପାରି ନଥିଲେ ଆରୟନ । ଫଳରେ ଆହୁରି ଗୋଟିଏ ଦିନ ଆର୍ଥର ରୋଡ ଜେଲରେ କାଟିଛନ୍ତି ଶାହରୁଖ ଖାନଙ୍କ ପୁଅ । ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗୁରୁବାର ଆରୟନଙ୍କ ବମ୍ବେ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ଯଉଁଥିରେ ଆରୟନଙ୍କୁ ଛାଡିବା ପାଇଁ ୧୪ଟି ସର୍ତ ରଖାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆରୟନ ୧ ଲକ୍ଷ ଟଙ୍କାର ବଣ୍ଡ ସହିତ ପାସପୋର୍ଟ ଜମା କରିବେ । ଏନଡିପିଏସ କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡି କୁଆଡେ ଯାଇପାରିବେ ନାହିଁ । ଏନସିବି ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ ଆରୟନ । ପ୍ରତି ଶୁକ୍ରବାର ଦିନ ୧୧ଟାରୁ ଅପରହ୍ନ ୨ଟା ଭିତରେ ମୁମ୍ବାଇ ସ୍ଥିତ ଏନସିବି ଅଫିସରେ ଉପସ୍ଥିତ ରହିବେ ଆରୟନ । ଅନ୍ୟ ଅଭିଯୁକ୍ତଙ୍କ ସହ କୌଣସି ଯୋଗାଯୋଗ କରିବେ ନାହିଁ ।

କୌଣସି ପ୍ରମାଣ ବା ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ । ଏହାସହ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ ଆରୟନ । କୋର୍ଟରୁ ଦିଆଯାଇଥିବା ସମସ୍ତ ତାରିଖରେ ସେ ଉପସ୍ଥିତ ରହିବେ । ତଦନ୍ତରେ ସହଯୋଗ କରିବା ପାଇଁ ଏନସିବି ଅଧିକାରୀଙ୍କ ଡାକରାରେ ତାଙ୍କୁ ପହଂଚିବାକୁ ପଡିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।