୨୫ ଦିନର ସଂଘର୍ଷ ପରେ ମନ୍ନତକୁ ଫେରିବେ ଆରୟନ : ଖୁସିରେ କାନ୍ଦି ପକାଇଲେ ବାପା ଶାହାରୁଖ ଖାନ୍

270

କନକ ବ୍ୟୁରୋ : ଆରୟନଙ୍କ ଜାମିନ୍ ମିଳିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ବାପା ଶାହାରୁଖ ଖାନ୍ । ଅନେକ ସିନେମାରେ କାନ୍ଦୁଥିବାର ଅଭିନୟ କରୁଥିବା ଶାହାରୁଖ୍ ଏଥର କିନ୍ତୁ ସତରେ କାନ୍ଦି ପକାଇଥିଲେ । ଏହି କାନ୍ଦ କୌଣସି ଦୁଃଖର ନଥିଲା, ବରଂ ପୁଅ ଜେଲରୁ ଫେରି ଆସିବା ପାଇଁ ବାଟ ଫିଟି ଯିବା ପରର । ଏନେଇ ସୂଚନା ଦେଇଛନ୍ତି ଆରୟନଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ । ଏଥିସହ ଆରୟନଙ୍କୁ ବେଲ୍ ମିଳିବା ପରେ ଶାହାରୁଖ ଖାନ୍ ଆଇନଜୀବୀ ସତୀଶ ମାନସିନେ୍ଧଙ୍କ ଟିମ୍ ସହ ଏକ ଫଟୋ ଉଠାଇଥିଲେ । ଆଉ ସେହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରୁ ଆରୟନଙ୍କୁ ବେଲ୍ ମିଳିବା ପରେ ଶାହାରୁଖ କେତେ ଖୁସି ତାହା ବାରି ହୋଇପଡୁଛି ।

ପୁଅ ଆରୟନଙ୍କୁ ଏନସିବି ଗିରଫ କରିବା ପରେ ଶାହାରୁଖଙ୍କ ଆଖିରୁ ନିଦ ହଜିଯାଇଥିଲା । ପଠାନ ଫିଲ୍ମ ସୁଟିଂକୁ ଅଧାରୁ ଛାଡି ଦେଶକୁ ଫେରି ଆସିଥିଲେ ଶାହାରୁଖ୍ । ଆଉ ପୁଅକୁ ବେଲରେ ମୁକୁଳାଇବା ପାଇଁ ଦିନ ରାତି ଏକ କରି ଦେଇଥିଲେ । ଶେଷରେ ଆରୟନଙ୍କ ସର୍ତ ମୂଳକ ଜାମିନ୍ ଦେଇଛନ୍ତି ବମ୍ବେ ହାଇକୋର୍ଟ । ସର୍ତ ଅନୁସାରେ ଆରୟନଙ୍କୁ କୋର୍ଟଙ୍କ ନିକଟରେ ପାସପୋର୍ଟ ଦା ଖଲ କରିବାକୁ ହେବ । କୋର୍ଟଙ୍କ ବିନା ଅନୁମତିରେ ଓ ଏନସିବିକୁ ନଜଣାଇ ଦେଶ ବାହାରକୁ ଯିବେ ନାହିଁ । କୌଣସି ବି ପରିସ୍ଥିତିରେ ଅନ୍ୟ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ରଖିବେ ନାହିଁ । ଏହି ପ୍ରସଙ୍ଗରେ ବାହାରେ କିଛି ବି ବୟାନ ଦେବେ ନାହିଁ ।

ତେବେ କୋର୍ଟଙ୍କ ବିସ୍ତୃତ ରାୟ ଆସିବା ପରେ ଜାମିନ ଦେବାର କାରଣ ସ୍ପଷ୍ଟ ହେବ । ରାୟର କପି ଆସିବା ପରେ ଆଜି କିମ୍ବା କାଲି ଜେଲରୁ ମୁକୁଳି ପାରନ୍ତି ଆରୟନ ଖାନ । ଆରୟନଙ୍କ ସହ ଅର୍ବାଜ ଓ ମୁନମୁନଙ୍କୁ ମଧ୍ୟ ଜାମିନ ମିଳିଛି । ଆରୟନଙ୍କୁ ବେଲ୍ ମିଳିବା ପରେ ଅଭିନେତା ସୋନୁ ସୁଦ୍ଦ, ଅଭିନେତା,ନିର୍ଦ୍ଦେଶକ ଆର ମାଧବନ ଖୁସି ବ୍ୟକ୍ତ କରିଛନ୍ତି । ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି କରୁଥିବାବେଳେ ଆରୟନଙ୍କୁ ଧରିଥିଲା ଏନସିବି । ତାପରେ ତାଙ୍କୁ ଗିରଫ କରିଥିଲା । ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଆର୍ଥର ରୋଡ୍ ଜେଲରେ ଅଛନ୍ତି । କିନ୍ତୁ ଗତକାଲି କୋର୍ଟ ଆରୟନଙ୍କ ଜାମିନକୁ ମଞ୍ଜୁରି ଦେବା ପରେ ଏବେ ତାଙ୍କ ପାଇଁ ଜେଲରୁ ମୁକୁଳିବାର ବାଟ ଫିଟି ଯାଇଛି ।