କ୍ରୁଜ୍ ଡ୍ରଗ୍ସ କେସ୍ ମାମଲା : ସମୀର ୱାଙ୍ଖଡେଙ୍କ ବିରୋଧରେ ନୱାବ ମଲ୍ଲିକଙ୍କ ଆଉ ଏକ ଅଭିଯୋଗ

କହିଲେ, ପାର୍ଟିରେ ଉପସ୍ଥିତ ଥିଲା ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ, ତାକୁ ନଧରି ବଛା ବଛା ଲୋକଙ୍କୁ କରାଯାଇଥିଲା ଗିରଫ; ସିସିଟିଭି ଯାଂଚ ପାଇଁ କଲେ ଦାବି

113

କନକ ବ୍ୟୁରୋ : କ୍ରୁଜ୍ ଡ୍ରଗ୍ସ କେସ୍ ମାମଲାରେ ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଆଉ ଏକ ଅଭିଯୋଗ । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଯେଉଁ ଦିନ ଏନସିବି କ୍ରୁଜରେ ରେଡ୍ କରିଥିଲା, ସେହି ସମୟରେ ଏକ ଅର୍ନ୍ତରାଷ୍ଟ୍ରୀୟ ଡ୍ରଗ୍ସ ମାଫିଆ ଉପସ୍ଥିତ ଥିଲା । ଦାଢି ରଖିଥିବା ଏହି ଡ୍ରଗ୍ସ ମାଫିଆ ପାଖରେ ପିସ୍ତଲ ମଧ୍ୟ ଥିଲା ।

ସେହି ଡ୍ରଗ୍ସ ମାଫିଆ ତିହାର ଜେଲରେ ଥିବା ସେ ଅଭିଯୋଗ କରିଛନ୍ତି । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ସହ ତାର ଘନିଷ୍ଠତା ଥିବା ଅଭିଯୋଗ କରିଛନ୍ତି ନୱାବ ମଲ୍ଲିକ । ଏମାନେ ସମସ୍ତେ ମିଶି ଡ୍ରଗ୍ସ ପାର୍ଟିର ଆୟୋଜନ କରିଥିଲେ । ହେଲେ ଚଢାଉ ସମୟରେ ଏନସିବି ଅଧିକାରୀ ଦାଢି ରଖିଥିବା ସେ ଅର୍ନ୍ତରାଷ୍ଟ୍ରୀୟ ମାଫିଆଙ୍କୁ ଛାଡି ଦେଇଥିଲେ । କିଛି ବଛା ବଛା ଲୋକଙ୍କୁ ଗିରଫ କରାଯାଇଥିଲା । କ୍ରୁଜର ସିସିଟିଭି ଯାଂଚ କରିବାକୁ ସେ ଦାବି କରିଛନ୍ତି । ଏହି ମାମଲାର ଯାଂଚ କରିବା ପାଇଁ ସେ ଏନସିବି ଅଧିକାରୀଙ୍କୁ ଅପିଲ କରିଛନ୍ତି ।

ସେପଟେ, ନୱାବ ମଲ୍ଲିକ ସାମାଜିକ ଗଣମାଧ୍ୟମରେ ସମୀରଙ୍କ ପ୍ରଥମ ବିବାହର ‘ନିକାନାମା’ ପୋଷ୍ଟ୍‍ କରିଛନ୍ତି । ସେ କହିଛନ୍ତି, ସମୀର ଓ୍ଵାଙ୍ଖେଡ଼େଙ୍କ ଧର୍ମ ପ୍ରସଙ୍ଗ ଉତ୍ଥାପନ କରିବା ତାଙ୍କର ଲକ୍ଷ୍ୟ ନୁହେଁ, ଲକ୍ଷ୍ୟ ହେଉଛି ସେ ଜାଲିଆତି କରି ହାସଲ କରିଥିବା ପ୍ରମାଣପତ୍ର ପାଇଛନ୍ତି ବୋଲି ଅବଗତ କରାଇବା । ‘ଆଇଆର୍‌ଏସ୍‌’ ଚାକିରି ପାଇବା ପାଇଁ ସେ ଜାତିଗତ ପ୍ରମାଣପତ୍ର ହାସଲ କରି ଯୋଗ୍ୟ ବିବେଚିତ ହେବାକୁ ଥିବା କୌଣସି ଜଣେ ପ୍ରକୃତ ‘ଅନୁସୂଚିତ ଜନଜାତି’ଙ୍କୁ ଠକିଛନ୍ତି । ବିବାଦୀୟ ପରିସ୍ଥିତି ମଧ୍ୟରେ ଆଜି ନୱାବ ମଲ୍ଲିକ, ଡକ୍ଟର ଶବନା କ୍ୟୁରେଶିଙ୍କ ସହ ହୋଇଥିବା ସମୀର ଓ୍ଵାଙ୍ଖେଡ଼େଙ୍କ ପ୍ରଥମ ବିବାହର ‘ନିକାନାମା’ ଏବଂ ସେ ସମ୍ବନ୍ଧୀୟ ଫଟୋ ଟୁଇଟର୍‌ରେ ପୋଷ୍ଟ୍‍ କରିଛନ୍ତି ।

ଆହୁରି ମଧ୍ୟ କହିଛନ୍ତି, ସେମାନେ ଯଦି କହୁଛନ୍ତି ମୁଁ ଟୁଇଟ୍‌ କରିଥିବା ଜାତିଗତ ପ୍ରମାଣପତ୍ର ଜାଲ୍‌, ତେବେ ସେମାନେ ଅସଲି ପ୍ରମାଣପତ୍ର ଦେଖାଇବା ଉଚିତ । ପରିଚୟକୁ ପ୍ରଭାବିତ ନ କରିବା ପାଇଁ ମୁଁ ସାକ୍ଷୀମାନଙ୍କ ନାଁ ସବୁ ଅସ୍ପଷ୍ଟ କରିପକାଇଛି । ମୁଁ ପୋଷ୍ଟ୍‍ କରିଥିବା ପ୍ରମାଣପତ୍ରଟି ‘ବିଏମ୍‌ସି’ରୁ ମିଳିଥିବା ‘ଅଫିସିଆଲ୍‌ ଡକ୍ୟୁମେଣ୍ଟ୍‌’ । ଆଇନ ଅନୁସାରେ, ଜଣେ ବ୍ୟକ୍ତି ଅନ୍ୟ ଧର୍ମକୁ ପରିବର୍ତ୍ତିତ ହେଲେ, ସେ ଉପଲବ୍ଧ ହେଉଥିବା ଜାତିଆଣା ସୁବିଧାସୁଯୋଗରୁ ବଞ୍ଚିତ ହେବା କଥା । ସେ ମୁସଲ୍‌ମାନ ନ ଥିଲେ ଏବଂ ସିଭିଲ୍‌ ସର୍ଭିସ୍‌ରେ ପ୍ରବେଶ କରିବାକୁ ନକଲି ଜାତିଗତ ପ୍ରମାଣପତ୍ର ବ୍ୟବହାର କରିଥିବା କଥା ସମୀର ଓ୍ଵାଙ୍ଖେଡ଼େଙ୍କ ଦ୍ୱିତୀୟ ପତ୍ନୀ ମରାଠୀ ଅଭିନେତ୍ରୀ କ୍ରାନ୍ତି ରେଡକର ଅସ୍ୱୀକାର କରିବା ପରେ ଆଜି ନୱାବ ମଲ୍ଲିକଏସବୁ ପୋଷ୍ଟ୍‍ କରିଛନ୍ତି ।