ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କୁ ମିଳିଲାନି ବେଲ । ସେସନ କୋର୍ଟରେ ପୁଣି କରିବେ ଆବେଦନ

112

କନକ ବ୍ୟୁରୋ: ମନ୍ନତରେ ବିଳାସ ବ୍ୟସନରେ ଯାହାର ଦିନ କଟୁଥିଲା, ସେ ଏବେ ଜେଲର କୋଠରୀରେ ଦିନ କାଟିବେ । ବହୁ ମୂଲ୍ୟ ଶଯ୍ୟାରେ ଯିଏ ଆରାମରେ ଶୋଉଥିଲେ, ସେ ଏବେ ଚଟାଣରେ ଶୋଇବେ । ଯାହାକୁ ମନପସନ୍ଦର ଖାଦ୍ୟ ପରସା ଯାଉଥିଲା, ସେ ଏବେ ଜେଲର ଖାଦ୍ୟ ଖାଇବେ । ବଲିଉଡ ବାଦଶାହା ଶାହରୁଖଙ୍କ ପୁଅ ଆରୟନଙ୍କ ପାଇଁ ଏବେ ନୂଆ ଠିକଣା ପାଲଟିଛି ମୁମ୍ବାଇର ଆର୍ଥର ରୋଡ ଜେଲ୍ ।

କୋର୍ଟରେ ଏନସିବି ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଯଦି ଆରୟନଙ୍କୂୁ ଜାମିନ ମିଳେ, ତାହେଲେ ତଦନ୍ତରେ ହସ୍ତକ୍ଷେପର ଭୟ ରହୁଛି । ତେଣୁ ମୁମ୍ବାଇର କିଲା କୋର୍ଟରେ ଜାମିନ୍ ଆବେଦନ ଖାରଜ ପରେ ଆରୟନଙ୍କୁ ଜେଲକୁ ପଠାଦିଆଯାଇଛି । ତେବେ ଜେଲରେ ଆରୟନଙ୍କୁ ଏବେ ପ୍ରଥମେ ୩ରୁ ୫ ଦନ ସଙ୍ଗରୋଧରେ ରହିବାକୁ ହେବ । ଗୁରୁବାର ଆରୟନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜକୁ ପଠାଇ ଦେଇଥିଲେ କୋର୍ଟର୍ ।ଅବଶ୍ୟ ଏବେ ଆରୟନଙ୍କ ଓକିଲ ସେସନ କୋର୍ଟରେ ଜାମିନ ପାଇଁ ଆବେଦନ କରିବେ । ତେବେ ଏହି ଆବେଦନର ଶୁଣାଣି ହେବା ଯାଏଁ ଆରୟନଙ୍କୁ ଆର୍ଥର ଜେଲର ଏକ ନମ୍ବର ବାରାକରେ ହିଁ ରହିବାକୁ ହେବ । ଯଦିଓ ଅନ୍ୟ କଏଦୀଙ୍କ ପରି ତାଙ୍କୁ ୟୁନିଫର୍ମ ପିନ୍ଧିବାକୁ ପଡ଼ିବନି, ତେବେ ଅନ୍ୟ କଏଦୀଙ୍କ ପରି ତାଙ୍କୁ ମଧ୍ୟ ଚଳିବାକୁ ହେବ । ଜେଲର ଖାଦ୍ୟ ଖାଇବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ୨୩ ବର୍ଷୀୟ ଆରୟନଙ୍କୁ ୫ ଅକ୍ଟୋବରରେ ଗିରଫ କରିଥିଲା ଏନସିବି । ଗିରଫ ବେଳେ ତାଙ୍କ ନିକଟରୁ କୋକେନ ଓ ଚରସ ପରି ନିଶା ଦ୍ରବ୍ୟ ଜବତ ହୋଇଥିବା ଦାବି କରିଆସୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏହାସହ ଜଣେ ଅନ୍ତର୍ଜାତୀୟ ଡ୍ରଗ୍ସ ଡିଲରଙ୍କ ସହ ଆରୟାନ ଚାଟ କରିଥିବା କଥା ମଧ୍ୟ ଏନସିବି କହିଛି । ହେଲେ ଆରୟନଙ୍କ ଓକିଲ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି । ଏନସିବି ଏହି ମାମଲାରେ ଏଯାଏଁ ମୋଟ୍ ୧୮ ଜଣଙ୍କୁ ଗିରଫ କରିସାରିଛି ।