କନକ ବ୍ୟୁରୋ : ମୁମ୍ବାଇ ପୋଲିସ କମିଶନରଙ୍କୁ ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡ଼େ ଚିଠି ଲେଖିଛନ୍ତି । ତାଙ୍କ ବିରୋଧରେ ଅଣାଯାଇଥିବା ମିଛି ଅଭିଯୋଗରୁ ଆଇନଗତ ସୁରକ୍ଷା ଦେବା ପାଇଁ କମିଶନରଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ୱାଙ୍ଖଡ଼େ । ଆରୟନ ଖାନଙ୍କୁ ଗିରଫ କରିବା ମାମଲାରେ ସାକ୍ଷୀ ଥିବା ପ୍ରଭାକର ସେଲ ଆଫିଡେଭିଟ୍ ଦେବାର ଦିନକ ପରେ ଏହି ଚିଠି ଲେଖିଛନ୍ତି ୱାଙ୍ଖଡ଼େ । ଏଥିସହ ଅଭିଯୋଗକୁ ଏନସିବି କାର୍ଯ୍ୟାଳୟ ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଏବଂ ଏନସିବି ମୁଖ୍ୟଙ୍କ ନିକଟକୁ ପ୍ରଭାକରଙ୍କ ଆଫିଡେଭିଟଙ୍କୁ ପଠାଇ ଦିଆଯାଇଛି ।

Advertisment

ଏନ୍‌ସିବି ସାକ୍ଷୀ କେପି ଗୋସାବିଙ୍କ ଦେହରକ୍ଷୀ ପ୍ରଭାକର ଶୈଳ ଏକ ନୋଟାରୀକୃତ ସତ୍ୟପାଠ ମାଧ୍ୟମରେ ଦାବି କରିଛନ୍ତି ଯେ ୱାଙ୍ଖଡ଼େଙ୍କ ତରଫରୁ ଗୋସାବି ଉକ୍ତ ଟଙ୍କା ଦାବି କରିଥିଲେ। ଆରୟନ ଖାନ୍‌ଙ୍କ ସହ ଯେଉଁ କେପି ଗୋସାବିଙ୍କ ସେଲ୍‌ଫି ଭାଇରାଲ ହୋଇଥିଲା, ଉକ୍ତ ଡ୍ରଗ୍ ମାମଲାରେ ସେ ବି ଜଣେ ସାକ୍ଷୀ ଏବଂ ସେ ବର୍ତ୍ତମାନ କୁଆଡ଼େ ଫେରାର ହୋଇଯାଇଛନ୍ତି । ପ୍ରଭାକର ଶୈଳ ଦାବି କରିଛନ୍ତି ଯେ, ଆରୟନ ଖାନ୍‌ଙ୍କ ଗିରଫଦାରି ପରେ ହୋଇଥିବା ଟଙ୍କା କାରବାରର ସେ ଜଣେ ସାକ୍ଷୀ । ଚଢ଼ାଉ ଦିନ ସେ ଗୋସାବିଙ୍କ ସାଙ୍ଗରେ ଥିଲେ ବୋଲି ଉକ୍ତ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ଶୈଳ ପୁଣି ଦାବି କରିଛନ୍ତି ଯେ, ଏନ୍‌ସିବି ଅଫିସ୍ ନିକଟରେ ସାମ୍‌ ନାମକ ଜଣେ ବ୍ୟକ୍ତି ଏବଂ ଗୋସାବି ଭେଟାଭେଟି ହୋଇଥିବା ସେ ଦେଖିଥିଲେ। ସମେ୍‌ ଲୋୟର ପାରେଲ ପାଖକୁ ଗାଡ଼ି ଚଲାଇ ଗଲେ, ଯେଉଁଠି ଆଉ ଗୋଟିଏ ନୀଳ ରଙ୍ଗର କାର୍ ଥିଲା। ଶାହରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦାଦଲାନି ସେଥିରେ ବସିଥିଲେ। ଗୋସାବି ଓ ସାମ ତାଙ୍କ ସହ କଥାବାର୍ତ୍ତାବେଳେ ୨୫ କୋଟି ମାଗିଲେ କିନ୍ତୁ ୧୮ କୋଟିରେ ଛିଣ୍ଡିଲା । ଗୋସାବି କଥାବାର୍ତ୍ତା ବେଳେ କହୁଥିବାର ଶୁଣାଯାଉଥିଲା ଯେ ୮ କୋଟି ଟଙ୍କା ୱାଙ୍ଖଡ଼େ ନେବେ ଏବଂ ବାକି ୧୦ କୋଟି ଅନ୍ୟମାନଙ୍କ ଭିତରେ ବଣ୍ଟା ହେବ । ଶୈଳ ପୁଣି କହିଛନ୍ତି ଯେ, ତାଙ୍କୁ ପରଦିନ ସକାଳେ ତାରଦେଓ ପଠାଯାଇଥିଲା, ଯେଉଁଠାରେ ଏକ ଧଳା କାର୍‌ରୁ ସେ ୫୦ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ । କିନ୍ତୁ ଗୋସାବି ତାଙ୍କୁ ଟ୍ରାଇଡେଣ୍ଟ ହୋଟେଲରେ ସାମକୁ ଟଙ୍କା ଫେରାଇ ଦେବା ପାଇଁ ପଠାଇଲେ । କାରଣ ୧୨ ଲକ୍ଷ ଟଙ୍କା କମ୍ ଥିଲା, ଅର୍ଥାତ୍ ୫୦ ଲକ୍ଷ ବଦଳରେ ଥିଲା ୩୮ ଲକ୍ଷ । ସେ ଗୋସାବିଙ୍କୁ କହିଲେ ଯେ, ସେ ଦୁଇ ବା ତିନି ଦିନ ଭିତରେ ଟଙ୍କା ଦେଇଦେବେ ।

ସେହିଦିନ, ପୂର୍ବରୁ ପ୍ରଭାକର ଶୈଳ ଅଭିଯୋଗ କରିଥିଲେ ଯେ, ଉକ୍ତ ମାମଲାରେ ଏନ୍‌ସିବିର ଏକ ଫାଙ୍କା ପଞ୍ଚନାମାରେ ତାଙ୍କୁ ଦସ୍ତଖତ କରିବାକୁ କୁହାଯାଇଥିଲା । ବର୍ତ୍ତମାନ କେପି ଗୋସାବି ସନ୍ଦେଜନକ ଭାବେ ନିଖୋଜ ହୋଇ ଯାଇଥିବାରୁ ସମୀର ୱାଙ୍ଖଡ଼େଙ୍କ ଆଡ଼ୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଶୈଳ ପ୍ରକାଶ କରିଥିଲେ । ପ୍ରଭାକର ଶୈଳ ମଧ୍ୟ ଚଢ଼ଉ ସମୟର କେତେକ ଭିଡିଓ ଓ ‌ଫଟୋ ଉଠାଇଥିଲେ । ଗୋଟିଏ ଭିଡିଓରେ ଦେଖାଯାଉଛି ଯେ ଗୋସାବି ଏକ ଫୋନ୍‌ର ସ୍ପିକର ଅନ୍ କରିଛନ୍ତି ଏବଂ ଆରୟନ ଖାନ୍ କାହା ସହ କଥା ହେଉଛନ୍ତି । ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ଜାମିନ ଆବେଦନ ଖାରଜ କରିଦେବା ପରେ ଆରୟନ ଖାନ୍ ବର୍ତ୍ତମାନ ଏବେ ଜେଲ୍‌ରେ ଅଛନ୍ତି ।