ଆରୟନ ଖାନଙ୍କୁ ମିଳିଲାନି ଜାମିନ, ଆସନ୍ତା ଶୁଣାଣି ଯାଏଁ ଜେଲରେ ରହିବେ ସମସ୍ତ ଅଭିଯୁକ୍ତ

88

କନକ ବ୍ୟୁରୋ : କ୍ରୁଜ ସିପ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଓ ଅନ୍ୟ ଅଭିଯୁକ୍ତ ମାନଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି ସେଶନ କୋର୍ଟ । ଶୁଣାଣି ପରେ ରାୟକୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇଛି । ଏହି ମାମଲାରେ ଏଏସଜି ଅନିଲ ସିଂ ଦଲିଲ୍ ଦାଖଲ କରିଥିଲେ । ବୁଧବାର ଦିନ ଏହି ମାମଲାର ସମ୍ପୂର୍ଣ୍ଣ ଶୁଣାଣି ହୋଇପାରି ନଥିଲା । ତେଣୁ ଆରୟନଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଆର୍ଥର ରୋଡ ଜେଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ସଂଗରୋଧରେ ରଖାଯାଇଥିଲା । ଅନ୍ୟପଟେ କୋର୍ଟଙ୍କ ନିଷ୍ପତ୍ତି ମୁତାବକ ଅକ୍ଟୋବର ୨୦ ତାରିଖରେ ଆରୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳିବ କି ନାହିଁ ତାହା କୋର୍ଟ ଶୁଣାଣି କରିବେ ।

କହିରଖୁ କି ଏନସିବି ତରଫରୁ ବୁଧବାର ଦିନ କୋର୍ଟରେ ଆରୟନ ଖାନଙ୍କୁ ଜାମିନ ନଦେବାକୁ କୋର୍ଟରେ ଅପିଲ କରି ଦଲିଲ୍ ଦାଖଲ କରିଥିଲେ । କୋର୍ଟରେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଦୀର୍ଘସମୟ ଧରି ଯୁକ୍ତି ତର୍କ ଚାଲିଥିଲା । ଏନସିବି ଓକିଲ କହିଥିଲେ ଆରୟନ ଖାନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆଙ୍କ ସହ ସଂପର୍କ ରହିଛି । ସେପଟେ ଆରୟନଙ୍କ ଓକିଲ ଅମିତ ଦେଶାଇ କହିଥିଲେ କି ବିନା ପ୍ରମାଣରେ ଏଭଳି ଗିରଫ କରିବା ବେଆଇନ ଅଟେ । ସେ କହିଥିଲେ କି ଆରୟନଙ୍କ ନିକଟରୁ ଏନସିବି କୌଣସି ମାଦକ ଦର୍ବ୍ୟ ଜବତ କରିନାହିଁ । ଅନ୍ୟପଟେ ଯେଉଁ ଆୟୋଜକ ଆରୟନଙ୍କୁ କ୍ରୁଜ ପାର୍ଟିକୁ ଡାକିଥିଲେ ତାଙ୍କୁ କାହିଁକି ଗିରଫ୍ କରାଯାଇ ନାହିଁ ବୋଲି ଅମିତ ଦେଶାଇ ଯୁକ୍ତି ବାଢିଥିଲେ ।