‘ଏନ୍‌ସିବି’ରେ ହାଜର ହେଲେ ଆର୍‌ୟନ୍‌ : ଜେଲରୁ ବେଲ୍ ମିଳିବା ପରେ ପ୍ରତି ଶୁକ୍ରବାର ହାଜର ହେବାକୁ ହୋଇଛି ନୋଟିସ୍

113

କନକ ବ୍ୟୁରୋ : ଜାମିନ ସର୍ତ୍ତ ଅନୁସାରେ, ଆଜି ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍‌ୟନ୍‌ ‘ନାକ୍ରୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ରେ ହାଜର ହୋଇଛନ୍ତି । ପୂର୍ବହ୍ନ ୧୧ଟାରୁ ଅପରାହ୍ଣ ୨ଟା ମଧ୍ୟରେ ‘ଏନ୍‌ସିବି’ରେ ଉପସ୍ଥିତ ହେବାକୁ ତାଙ୍କ ପ୍ରତି ନିର୍ଦେଶ ଜାରି ହୋଇଥିଲା । ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ଗିରଫ ହୋଇ ମୁମ୍ବାଇ ଆର୍ଥର୍‌ ରୋଡ୍‌ ଜେଲ୍‌ରେ ଥିବା ଆର୍‌ୟାନ୍‌ଙ୍କୁ ଜାମିନ ମଞ୍ଜୁର କରିବା ସମୟରେ ବମ୍ବେ ହାଇକୋର୍ଟ ରଖିଥିବା କେତେକ ସର୍ତ୍ତ ମଧ୍ୟରୁ ଉପରୋକ୍ତ ସର୍ତ୍ତ ଅନ୍ୟତମ ।

୧୪ଟି ସର୍ତ୍ତ ରଖି ବମ୍ବେ ହାଇକୋର୍ଟ ଆର୍‌ୟନ୍‌ଙ୍କ ଜାମିନ ମଞ୍ଜୁର କରିଛି। ସେଗୁଡ଼ିକ ମଧ୍ୟରୁ ଦୁଇଟି ହେଉଛି ପୁଲିସକୁ ନ ଜଣାଇ ଆର୍‌ୟନ୍‌ ମୁମ୍ବାଇରୁ ବାହାରକୁ ଯାଇ ପାରିବେ ନାହିଁ ଏବଂ ପ୍ରତି ଶୁକ୍ରବାର ଦିନ ‘ଏନ୍‌ସିବି’ରେ ହାଜର ହେବେ । ସର୍ତ୍ତାବଳୀରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଆର୍‌ୟନ୍‌ ପୁନର୍ବାର ସେଭଳି କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ଉକ୍ତ ମାମଲା ଅଭିଯୁକ୍ତ ହୋଇଥିବା ବନ୍ଧୁ ଅର୍ବାଜ୍‌ ମର୍ଚାଣ୍ଟ୍‌ଙ୍କ ସହ ସେ ଯୋଗାଯୋଗ କରିବେ ନାହିଁ କି, ଗଣମାଧ୍ୟମକୁ କିଛି କହିବେ ନାହିଁ । ଯଦି କୌଣସି ସର୍ତ୍ତ ଖିଲାପ ହୁଏ ତେବେ ‘ଏନ୍‌ବିସି’ ଆର୍‌ୟନ୍‌ଙ୍କ ଜାମିନ ଖାରଜ କରିବା ପାଇଁ ଅଦାଲତଙ୍କୁ ଅନୁରୋଧ କରିବ ।