ଆରୟନଙ୍କୁ ମିଳିଲାନି ଜାମିନ, ଆସନ୍ତା କାଲିକୁ ଘୁଞ୍ଚିଲା ଶୁଣାଣି

88

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍‌ୟନ୍‌ଙ୍କୁ ଆଜି ଜାମିନ ମିଳିନାହିଁ । ଆରୟନଙ୍କ ଜାମିନ ଶୁଣାଣିକୁ ଆସନ୍ତାକାଲି ଯାଏଁ କୋର୍ଟ ଘୁଞ୍ଚାଇଦେଇଛନ୍ତି । ତେବେ ଆଜି ଆରୟନ୍‌ ଖାନଙ୍କ ଓକିଲ କୋର୍ଟଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ ବି କୋର୍ଟ ଶୁଣାଣି କରିବାକୁ ମନା କରିଦେଇଥିଲେ । ଆରୟନ୍‌ ଖାନଙ୍କ ଓକିଲ କୋର୍ଟରେ କହିଥିଲେ ଯେ ତାଙ୍କଠାରୁ କିଛି ବି ଡ୍ରଗ୍ସ ମିଳିନାହିଁ । ଆରୟନ୍‌ ଖାନଙ୍କୁ ପ୍ରତୀକ ଗାବା ଡାକିଥିଲେ ଓ ତାଙ୍କୁ ଗିରଫ କରାଯାଇନାହିଁ । ଆରୟନ୍‌ ଖାନଙ୍କ ପାଖରେ ଟଙ୍କା ନଥିଲା ଓ ଅନ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର କୌଣସି ସମ୍ପର୍କ ହିଁ ନାହିଁ ।

ତେବେ ଆରୟନ୍‌ ଖାନଙ୍କ ଜାମିନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିରୋଧ କରିଥିଲା। ଏନସିବି ଆରୟନ୍‌ ଖାନ୍ ଏବଂ ଅନ୍ୟମାନଙ୍କ ଜାମିନ ଆବେଦନଗୁଡ଼ିକର ଜବାବ ମଧ୍ୟ ଦାଖଲ କରିଥିଲା । ଏନସିବି କହିଥିଲା ଯେ, କିଛି ଅଭିଯୁକ୍ତଙ୍କଠାରୁ ବହୁତ କମ୍ ଡ୍ରଗ୍ସ ମିଳିଛି ଓ କିଛିଙ୍କୁ ଠାରୁ ଡ୍ରଗ୍ସ ମିଳିନାହିଁ । କିନ୍ତୁ ଏହି ଷଡଯନ୍ତ୍ରରେ ଏମାନଙ୍କ ସମ୍ପୃକ୍ତି ରହିଛି । ଯାହାକୁ ତଦନ୍ତ କରାଯାଉଛି । ସେହିପରି ଏନସିବି କହିଥିଲା ଯେ ଅନୁସନ୍ଧାନବେଳେ ମିଳିଥିବା ସାମଗ୍ରୀରୁ ଜଣାପଡିଛି ଯେ ଡ୍ରଗ୍ସ କ୍ରୟ ଏବଂ ବିତରଣରେ ଅଭିଯୁକ୍ତ ଆରୟନ୍‌ ଖାନଙ୍କର ପ୍ରମୁଖ ଭୂମିକା ରହିଛି। ଏହା ବ୍ୟତୀତ, ଆରୟନ୍‌, ଅରବାଜ ଖାନଙ୍କଠାରୁ ନିୟମିତ ଡ୍ରଗ୍ସ କିଣୁଥିଲେ ।

ଶୁକ୍ରବାର ଏନସିବିର ହେପାଜତ ଶେଷ ହେବା ପରେ ଆରୟନ୍‌ଙ୍କ ଜାମିନ ଆବେଦନକୁ ମୁମ୍ବାଇ କୋର୍ଟ ଖାରଜ କରିଥିଲେ । ଏହା ପରେ ତାଙ୍କୁ ଆର୍ଥର ରୋଡ ଜେଲକୁ ପଠାଯାଇଥିଲା। ଅକ୍ଟୋବର ୧୧ ରେ ଆରୟନ୍‌ଙ୍କ ଓକିଲ ଜାମିନ ଆବେଦନ କରିଥିଲେ ମଧ୍ୟ ଶୁଣାଣି ଅକ୍ଟୋବର ୧୩ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଆଉ ଆଜି ପୁଣି କୋର୍ଟ ଜାମିନକୁ ନେଇ ଶୁଣାଣି କରିନାହାନ୍ତି ।