ମହାତ୍ମା ଗାନ୍ଧୀଙ୍କ ନାତି ସହ ଅରବିନ୍ଦ ତ୍ରିବେଦୀଙ୍କ ରାଜନୀତି ଯୁଦ୍ଧ । ଜିତିଥିଲେ ରାମାୟଣର ରାବଣ

155
କନକ ବ୍ୟୁରୋ: ଥମିଯାଇଛି ରାମାୟଣର ରାବଣଙ୍କ ଗର୍ଜନ ।ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣରେ ରାବଣ ଚରିତ୍ରରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ଦେହାନ୍ତ ହୋଇଛି  । ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଅରବିନ୍ଦଙ୍କ ଭଣଜା କୌସ୍ତୁଭ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା । ଦୀର୍ଘ ଦିନ ହେବ ଅରବିନ୍ଦ ଅସୁସ୍ଥ ରହି ଆସୁଥିଲେ । ଅରବିନ୍ଦ ନିଜର ୪୦ବର୍ଷର ଅଭିନୟ କ୍ୟାରିୟରେ ସେ ୩୦୦ରୁ ଉର୍ଦ୍ଧ ସିନେମା ଓ ଧାରବାହିକରେ ଅଭିନୟ କରିଥିଲେ । ଛୋଟ ବଡ ପରଦାରେ ଅନେକ ଚରିତ୍ରରେ ଅଭିନୟ କରିଥିଲେ ବି ଦୂରଦର୍ଶନରେ ପ୍ରସାରିତ ‘ରାମାୟଣ’ରେ ରାବଣ ଚରିତ୍ର ହିଁ ତାଙ୍କୁ ଦେଇଥିଲା ପ୍ରସିଦ୍ଧି । ଅଭିନୟରେ ସ୍ୱର୍ଣ୍ଣିମ ଯୁଗ ଜୀଇଁବା ପରେ ରାଜନୀତି କ୍ଷେତ୍ରରେ ମଧ୍ୟ ଅରବିନ୍ଦ ତ୍ରିବେଦୀ ଉଡାଇଥିଲେ ବିଜୟ ଧ୍ୱଜା ।

 

୧୯୯୧ ରେ ଗୁଜୁରାଟର ସାବରକନ୍ଥା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢିଥିଲେ । ଏଥିରେ ତାଙ୍କର ପ୍ରତିଦ୍ୱନ୍ଦି ଥିଲେ ମହାତ୍ମା ଗାନ୍ଧୀଙ୍କ ନାତି ରାଜମୋହନ ଗାନ୍ଧୀ । ଏହି ଟକ୍କରରେ ବାଜି ମାରିଥିଲେ ଲଙ୍କାର ରାଜା ବୋଲାଉଥିବା ଅରବିନ୍ଦ ତ୍ରିବେଦୀ । ଏଥିରେ ସେ ରାଜମୋହନଙ୍କ ଠାରୁ ୬୮ ହଜାର ଭୋଟରେ ଜିତିଥିଲେ । ରାଜନୈତିକ ପ୍ରଚାର ପାଇଁ ଯୁଆଡେ ଗଲେ ତାଙ୍କୁ ରାମାୟଣର ରାବଣ ଭାବି ସମ୍ମାନ ଦେଉଥିଲେ ଜନତା । ଲଙ୍କେଶ ରାବ କି ଜୟ ଧ୍ୱନୀରେ କମ୍ପୁଥିଲା ପରିବେଶ ।ଏହି ନିର୍ବାଚନରେ ରାମ ମନ୍ଦିର ନିର୍ମାଣକୁ ମୁଦ୍ଦା କରିଥିଲେ ଅରବିନ୍ଦ ତ୍ରିବେଦୀ ।

 

ଭାଷଣ ଦେବାକୁ ମଞ୍ଚ ଉପରକୁ ଯାଇ ଅରବିନ୍ଦ କହୁଥିଲେ ‘ ଶ୍ରୀରାମଙ୍କୁ ବିରୋଧ କରିବାର ପରିଣାମ କ’ଣ ହୁଏ ତାହା ମୋଠାରୁ କେହି ଅଧିକ ଜାଣନ୍ତି ନାହିଁ ।’ ତାଙ୍କର ଏହି ଭାଷଣରେ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ ଜନତା । ପୂର୍ବରୁ ରାମୟଣର ରାବଣ ଚରିତ୍ରକୁ ହୃଦୟ ଦେଇଥିବା ଲୋକେ ଏଥର ନିର୍ବାଚନରେ ଭୋଟ ଦେଇ ପୁଣି ଅରବିନ୍ଦଙ୍କୁ ପିନ୍ଧାଇଥିଲେ ବିଜୟ ମୁକୁଟ । ତାଙ୍କର ଲୋକପ୍ରିୟତା ଚରମ ସୀମାରେ ଥିଲା। ସେ ୧୯୯୧ ରୁ ୧୯୯୬ ପର୍ୟ୍ୟନ୍ତ ଲୋକସଭାର ସାଂସଦ ଥିଲେ।
ତେବେ କେବଳ ଚରିତ୍ରରେ ନୁହେଁ ଅରବିନ୍ଦ ତ୍ରିବେଦୀ ବାସ୍ତବରେ ଥିଲେ ଶ୍ରୀରାମଙ୍କ ପରମ ଭକ୍ତ ।